ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ବାପ, ଝିଅଙ୍କ ଉପରେ ଚଢି ଯିବାର ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ରାହାଣିଆ ଗ୍ରାମର ମନୋଜ କୁମାର ଦାସ, ଏବଂ ତାଙ୍କ ଝିଅ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ମନୋଜ ବାଲେଶ୍ୱରରେ ଚାକିରୀ କରୁଥିବା ବେଳେ ରବିବାର ଘର ରାହାଣିଆ ଯାଉଥିଲେ l ତାଙ୍କ ସ୍ତ୍ରୀ ବସ୍‌ ଯୋଗେ ଭଦ୍ରକ ଯାଇଥିବା ବେଳେ ସେ ଝିଅଙ୍କୁ ଧରି ବାଇକ୍‌ରେ ଯାଉଥିଲେ। ହେଲେ ହଟାତ୍‌ ଉତ୍ତରେଶ୍ୱର ନିକଟରେ ଏକ ଗାଡିକୁ ଓଭରଟେକ କରୁଥିବା ବେଳେ ଧକ୍କା ହୋଇ ତଳେ ପଡିଯାଇଥିଲେ। ସେତିକିବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ବାପ ଏବଂ ଝିଅଙ୍କ ଉପରେ ଚଢିଯାଇଥିଲା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଶୋକର ଛାୟା ଖେଳିଯାଇଛି।

Share