ଚାଷଜମି ସାଜିଛି ବାଲି ଚାଲାଣ ରାସ୍ତା

ପଟ୍ଟାମୁଣ୍ଡାଇ,୨ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବାଲି ସଇରାତଗୁଡ଼ିକୁ ଖଣି ବିଭାଗ ଅଦ୍ୟାବଧି ନିଲାମ ଦେଇ ନାହିଁ। ହେଲେ ପ୍ରତିଦିନ ବିଭିନ୍ନ ସଇରାତରୁ ରାତିଦିନ ବାଲି ଚୋରା ଚାଲାଣ ଚାଲିଛି। ଚାଷଜମି ଭିତର ଦେଇ ଶତାଧିକ ହାଇୱାରେ ବାଲି ଚୋରା ଚାଲାଣ ହେଉଛି। ଏଥିରେ ବାଲି ବ୍ୟବସାୟୀ, ହାଇୱା ମାଲିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହେଉଛି। ଅନ୍ୟପକ୍ଷେ ସରକାରଙ୍କ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ହାଇୱା ମାଲିକମାନେ ବାଲି ବୋଝେଇ ଗାଡ଼ିକୁ ଚାଷଜମି ଉପରେ ଗୁଳା କରି ଜବରଦସ୍ତ ଚଳାଚଳ କରୁଛନ୍ତି। ଏଥିଲାଗି ଜଳସେଚନ ପାଇଁ ଥିବା କେନାଲକୁ ବନ୍ଧାଇ ରାସ୍ତା କରିଛନ୍ତି। ଫଳରେ ପାଳରେ ଚାଷ ହୋଇଥିବା ଜମିକୁ ପାଣି ଆସି ପାରୁନାହଁି। ଚାଷଜମିରେ ଧୂଳିର ଆସର ଜମି ପନିପରିବା ନଷ୍ଟ ହେଉଛି। ଏହାକୁ ବିରୋଧ କରିବାରୁ ଚାଷୀଙ୍କୁ ବାଲି ବ୍ୟବସାୟୀମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା କେତେଜଣ ଚାଷୀ ନିଜନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ନରେନ୍ଦ୍ର ଧଳ କୁହନ୍ତି, କେନ୍ଦ୍ରାପଡ଼ା, ଖଣି ବିଭାଗର ଉଦାସୀନତା ଯୋଗୁ ବାଲି ଖାଦାନଗୁଡ଼ିକ ନିଲାମ ହୋଇପାରୁନାହିଁ। ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ଲଘୁ ଖଣି ନିର୍ଦ୍ଦେଶାଳୟ ପ୍ରାୟ ବର୍ଷେ ହେବ କେନ୍ଦ୍ରାପଡ଼ାରେ ଲଘୁ ଖଣି କାର୍ଯ୍ୟାଳୟ ଖୋଲିଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାର ନିୟନ୍ତ୍ରଣ ହେବା ସ୍ଥଳେ ଆହୁରି ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି। ବାଲିର ଆବଶ୍ୟକତା ଥିବାରୁ ଚୋରାଚାଲାଣକାରୀମାନେ ଆଦୌ ରାଜସ୍ବ ନ ଦେଇ ହାଇୱା ପିଛା ୭ରୁ ୧୦ ହଜାର ଟଙ୍କା ଲୁଟୁଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା ଏକ କୃଷି ପ୍ରଧାନ ଜିଲା। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ସବୁକ୍ଷେତ୍ରରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଅର୍ଥନୀତି ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଯୋଜନା ହାତକୁ ନେଇଛନ୍ତି। ମାତ୍ର ସାଧାରଣ ଚାଷୀଟିଏ ଧାର କରଜ କରି ଚାଷ କରିଥିବା ବେଳେ ଏହି ବାଲି ବ୍ୟବସାୟୀମାନେ ଫସଲ ନଷ୍ଟ କରୁଛନ୍ତି। ସେମାନଙ୍କୁ ଡରି ଚାଷୀ ଚୁପ୍‌ ରହୁଥିବା ବେଳେ ପ୍ରଶାସନ ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଖଣି ବିଭାଗ ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରେ ଆମେ ସବୁ ବାଲି ଖାଦାନରେ ୧୪୪ ଜାରି କରିଛୁ। ଏହାକୁ ଅମାନ୍ୟ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।