ସ୍କୁଲରେ ହେବ ପରିବାଚାଷ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଏଣିକି ସ୍କୁଲ ପରିସରରେ ପନିପରିବା ଚାଷ ହେବ। ସ୍କୁଲ କର୍ତ୍ତୃପକ୍ଷ ପରିବା ଚାଷ କରିବେ। ଉତ୍ପାଦିତ ପନିପରିବାରେ ହିଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ କନସେପ୍ଟ। ଏହି ନୂଆ ଯୋଜନା ଅନୁସାରେ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିବା ମଧ୍ୟାହ୍ନ ଭୋଜନ ଯୋଜନାର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂତନ ଶିକ୍ଷା ନୀତି ଆଧାରରେ ଛାତ୍ରୀଛାତ୍ରଙ୍କୁ କୃଷି ଜ୍ଞାନ ପାଇବା ପାଇଁ ଏହା କରାଯାଇଛି। ମଧ୍ୟାହ୍ନ ଭୋଜନ ଅନ୍ତର୍ଗତ ଏହି ଯୋଜନାରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ର ମିଶି ପନିପରିବା ଚାରା ଲଗାଇବେ। ଜିଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍‌ ଓ ବୈଷୟିକ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ। ବର୍ତ୍ତମାନ ସ୍କୁଲ ବନ୍ଦ ରହିଛି। ତେଣୁ କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅମୃତଭଣ୍ଡା, ଟମାଟୋ, ଲେମ୍ବୁ ଭଳି ବିଭିନ୍ନ ପନିପରିବା ଚାରା ଲଗାଇବା ପାଇଁ କୁହାଯାଇଛି।