ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ହୋଇ ଉଠିଛି । କିନ୍ତୁ ଚାଷୀଙ୍କୁ ପ୍ରବଳ ବର୍ଷାର ଭୟ ଚିନ୍ତା ଘାରିଛି । ଲଘୁଚାପ ପ୍ରଭାବରେ ହାଟଡିହୀ ବ୍ଲକ ଅଞ୍ଚଳରେ ଶନିବାର ରାତି ସାରା ବର୍ଷା ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଗତ କିଛିଦିନ ତଳେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଥିଲା। ଏବେ ପୁଣି ବର୍ଷା ଲାଗି ରହିବାରୁ ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇ ଥିବାରୁ ତଳିଆ ଅଞ୍ଚଳ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ପୂର୍ବ ବର୍ଷା ଜଳ କମି ନଥିବା ବେଳେ ଚଳିତ ଲଘୁଚାପ ବର୍ଷାରେ ତଳିଆ ଅଞ୍ଚଳର ଧାନ ଜମିରେ ବର୍ଷା ଜଳ ଜମି ରହିବା ପରିସ୍ଥିତି ଦେଖା ଦେଇଛି। ଅନେକ ସ୍ଥାନରେ ଜମିରୁ ଠିକ୍‌ ଭାବେ ପାଣି ନିଷ୍କାସନ ହୋଇନଥିବା ବେଳେ ପୁଣି ବର୍ଷା ଚାଷୀଙ୍କ ସମସ୍ୟାକୁ ଆହୁରି ଜଟିଳ କରିଛି । ନାଳ, କେନାଲ ଓ ଅନ୍ୟାନ୍ୟ ଜଳ ନିଷ୍କାସନ ପଥରେ ଅବ୍ୟବସ୍ଥା ଥିବାରୁ ବର୍ଷାଜଳ ଶୀଘ୍ର ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ ହେଉଛି । ଚାଷୀମାନଙ୍କ କହିବା କଥା, ଧାନ ଚାଷ ପାଇଁ ଏହି ସମୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜମିରେ ଲଗାଯାଇଥିବା ଧାନ ଗଛ ବର୍ଷା ଓ ପାଣି ଜମି ରହିବା ଯୋଗୁଁ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ ଭାରି କ୍ଷତି ସହିବାକୁ ପଡ଼ିବ । ପୂର୍ବରୁ ବର୍ଷା ଓ ବନ୍ୟାରେ ଅନେକ ଚାଷଜମି ପ୍ରଭାବିତ ହୋଇଥିବା ବେଳେ ପୁଣି ବର୍ଷା ଚାଷୀଙ୍କ ଆଶା ଓ ଆଶଙ୍କାକୁ ଦୋହରାଇ ଦେଇଛି।

ଏଭଳି ବର୍ଷା ଲାଗି ରହିଲେ ଧାନ ଚାଷ କିପରି ହେବ ବୋଲି ପ୍ରଶ୍ନ କରିଛନ୍ତି ତଳିଆ ଅଞ୍ଚଳର ଚାଷୀ । ବର୍ଷା ଯୋଗୁଁ ଚାଷ କାମ ପ୍ରଭାବିତ ହେବା ସହ ଜମିରେ ଜଳ ଜମିଲେ ଆଗାମୀ ଦିନରେ ଧାନ ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଛି । ଅନ୍ୟ ପକ୍ଷରେ ବୈତରଣୀର ଜଳସ୍ତର ବଢିଲେ ଆଇତିପୁର, ହାବଳେଶ୍ୱର, ସମଣା, ଆମ୍ବୋ, ଗେଡ଼ମା ଭଳି ଅନେକ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି । ଫଳରେ ନଦୀ କୂଳିଆ ଲୋକ ଭୟଭୀତ ହୋଇ ପଡିଛନ୍ତି ।

ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା, ହାଟଡିହୀ ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି ଯେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ପାଇଁ ଆମେ ସଜାଗ ରହିଛୁ, ସମସ୍ତଙ୍କୁ ସଚେତନ କରୁଛୁ । ସବୁ ପଞ୍ଚାୟତର ପିଇଓ, ସରପଞ୍ଚ ଏବଂ ଅନ୍ୟମାନଙ୍କୁ ଆଲର୍ଟ ରହିବାକୁ ସୂଚନା ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share