ଧାନ କିଣା ବନ୍ଦ, ଟୋକନ ଧରି ଚିନ୍ତାରେ ଚାଷୀ

କେନ୍ଦୁଝର, ୨୪।୨ (ସ୍ବ.ପ୍ର.):  କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ଧାନ ବିକିବା ପାଇଁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡିରେ ଧାନ କିଣା ବନ୍ଦ ଯୋଗୁ ଚିନ୍ତାରେ ରହିଛନ୍ତି। ମଣ୍ଡିରେ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ ସରିଯାଇଥିବାରୁ ୩୬ ଚାଷୀ ବିକି ପାରିନାହାନ୍ତି। ସେହିପରି ଅନେକ ଚାଷୀଙ୍କ ଟୋକନ ଅବଧି ସରିଯାଇଛି। ଟୋକନ ଅବଧି ବୃଦ୍ଧି ବା ପୁନଃ ପଞ୍ଜୀକରଣ କରିବାକୁ ସୁବିଧା ଦାବିରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଛନ୍ତି ା
ଏଭଳି ଧାନ କିଣା ବନ୍ଦ ଯୋଗୁ ବହୁ ଚାଷୀ ଧାନ ବିକି ପାରୁ ନ ଥିବାବେଳେ ସେମାନଙ୍କ ଟୋକନ ଅବଧି ସରିଯାଉଛି। ଫଳରେ ଅନେକ ବେପାରୀଙ୍କୁ କମ୍‌ ଦାମରେ ଧାନ ବିକିବାକୁ ବାଧ୍ୟ ହେବେ ଏବଂ ଏନେଇ ଅଭାବୀ ଧାନ ବିକ୍ରି ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସାହାରପଡ଼ାରୁ କୃଷକ ନେତା କୃପାଚାର୍ଯ୍ୟ ମହାନ୍ତ କହିଛନ୍ତି ା
ପ୍ରକାଶ ଯେ, ଜିଲା ପାଇଁ ୧୬ ଲକ୍ଷ ୫୦ହଜାର ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ୧୬ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ ମିଲରମାନେ କ୍ରୟ କରିଛନ୍ତି। ବହୁ ଧାନ ବସ୍ତା ଏବେ ମଧ୍ୟ ଖରାରେ ମଣ୍ଡି ବାହାରେ ଖୋଲା ସ୍ଥାନରେ ପଡିରହିଛି। ତେବେ ଅନେକ ମଣ୍ଡିରେ ଧାନ କିଣା ସରିଥିବାବେଳେ ଉକ୍ତ ମଣ୍ଡି ଅଧୀନରେ ଥିବା ଚାଷୀମାନେ ଟୋକନ ଥାଇ ମଧ୍ୟ ଧାନ ବିକ୍ରି କରି ପାରୁନାହାନ୍ତି। ଟାର୍ଗେଟ ସରିଯାଇଥିବାରୁ ମଣ୍ଡିକୁ ଆସି ବହୁ ଚାଷୀ ଧାନ ବିକ୍ରି କରି ନ ପାରି ନିରାଶ ହେଉଛନ୍ତି। ଅନେକ ମଣ୍ଡି ଆଗରେ ଏବଂ ଚାଷୀଙ୍କ ଖଳାରେ ଧାନ ଜମା ହୋଇ ରହିଥିବାବେଳେ ଆଗକୁ ଅଦିନିଆ ବର୍ଷା ଆସିଲେ କ’ଣ କରିବେ ସେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୪ଲକ୍ଷ ୭୦ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଅନୁମତି ଲୋଡିଛନ୍ତି। ଧାନ କିଣା ଅନୁମତି ମିଳିଲେ ପୁଣି ଧାନ କ୍ରୟ ହେବ। କିନ୍ତୁ ଇତିମଧ୍ୟରେ ଯେଉଁମାନଙ୍କର ଟୋକନ ଅବଧି ଶେଷ ହୋଇଯାଇଛି ସେମାନେ ଧାନ ବିକିପାରିବେ ନାହିଁ। ସରକାର ଚାଷୀଙ୍କ ସ୍ବାର୍ଥକୁ ଦେଖି ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ଡିଆର୍‌ସିଏସ୍‌ (ଡେପୁଟି ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି) ଶୁଭ୍ରକାନ୍ତି ଟୁଗି କହିଛନ୍ତି, ସରକାରଙ୍କଠାରୁ ଅନୁମତି ମିଳିଲେ ଧାନ କିଣାଯିବ। ତେବେ ଟୋକନ ଅବଧି ଥିଲେ ମଧ୍ୟ ମଣ୍ଡିରେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଥିଲେ ଚାଷୀଙ୍କଠାରୁ ଆଉ ଧାନ କିଣିପାରିବେ ନାହିଁ। ପୁଣି ଲକ୍ଷ୍ୟ ଧାର୍ଯ୍ୟ ଆସିଲେ କିଣାଯିବ।