ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୩ ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ପାଣିପାଗ ବିଭାଗ ସତର୍କ କରିଛି । ପ୍ରବଳ ବର୍ଷା ନେଇ ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବ।

୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ୪ ତାରିଖ ସାରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଗଞ୍ଜାମ ଜିଲାରେ ସୋମବାରଠାରୁ ବାତ୍ୟାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୁଗୁଡ଼ା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ଫସଲ ସୁରକ୍ଷା ସକାଶେ ସତର୍କ ସୂଚନା ଜାରି କରାଯାଇଛି। ସ୍ଥାନୀୟ ଭାରପ୍ରାପ୍ତ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝିଙ୍କ ତତ୍ତ୍ୱାବଧାନରେ କୃଷି ବିଭାଗ କର୍ମଚାରୀମାନେ ବ୍ଳକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଫସଲ ସୁରକ୍ଷା ସକାଶେ ମାଇକ୍‌ ଯୋଗେ ପ୍ରଚାର କରି ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ କୃଷି ଅଧିକାରୀ ହରପ୍ରିୟା ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ ଅଶୋକ କୁମାର ସେଠୀ, ଏଟିଏମ୍‌ ପ୍ରଶାନ୍ତ କୁମାର ସାହୁଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ।