ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍ଏମ୍ଇଓ-ଓପି) ୨୦୨୬-୨୭ ଅଧୀନରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ରବିବାର ଭଟଲି ବ୍ଲକ ଅନ୍ତର୍ଗତ ନୂଆପାଲିରେ ଏକ ମେଗା ଅଏଲ ପାମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ କୃଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏକ ହେକ୍ଟର ବିଶିଷ୍ଟ ପ୍ରଦର୍ଶନୀ କ୍ଷେତ୍ରରେ ଅଏଲ ପାମ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ସହିତ ଉପସ୍ଥିତ କୃଷକମାନଙ୍କୁ ବହୁମୁଖୀ ଚାଷ ପ୍ରଣାଳୀ ଆପଣାଇ ଆୟ ବୃଦ୍ଧି ଦିଗରେ ଅଗ୍ରସର ହେବାକୁ ପ୍ରେରିତ କରିଥିଲେ। ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଗଠନ ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ସେ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲାଲଟ୍ କୁମାର ଲୁହା, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା, ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ) ସୁଷେଣ ମିର୍ଦ୍ଧା, ଭଟଲି ବିଡିଓ ପ୍ରମୋଦ କୁମାର ମେହେର, ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ମାଝୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସମ୍ମାନିତ ଅତିଥିଭାବେ ଯୋଗଦେଇ ଚାରାରୋପଣ କରିବା ସହ କୃଷକମାନଙ୍କୁ ସ୍ଥାୟୀ କୃଷି ଏବଂ ବୃକ୍ଷରୋପଣ ପ୍ରତି ଉତ୍ସାହିତ କରିଥିଲେ।
ଏହି ଅବସରରେ ଅମ୍ବାଭୋନା ବ୍ଲକର ସଫଳ ଅଏଲ ପାମ ଚାଷୀ ରାମକୁମାର ପଟେଲ ଏବଂ ଭଟଲି ବ୍ଲକର ଯୋଗେଶ୍ୱର ପଧାନ ଅଏଲ ପାମ ଚାଷରୁ ମିଳୁଥିବା ଆର୍ଥିକ ଲାଭ, ଆୟ ବୃଦ୍ଧିର ସୁଯୋଗ ଏବଂ ଉଦ୍ୟାନ କୃଷି ବିଭାଗ ଓ ଗୋଦ୍ରେଜ ଏଗ୍ରୋଭେଟ ଲିମିଟେଡ଼ ପକ୍ଷରୁ ମିଳୁଥିବା ସହାୟତା ସମ୍ପର୍କରେ ନିଜର ଅନୁଭୂତି କହିଥିଲେ । କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଅଏଲ ପାମ ଚାଷ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଗୋଦ୍ରେଜ ଏଗ୍ରୋଭେଟ ଲିମିଟେଡ଼ର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ବାପୁଜୀ ମଲ୍ଲିକ ଏବଂ ସମ୍ପ୍ରସାରଣ ଅଧିକାରୀ ସଞ୍ଜୀବ କୁମାର ପୃଷ୍ଟି ଅଏଲ ପାମ ଚାଷ ପ୍ରଣାଳୀ, ବଗିଚା ପରିଚାଳନା, ସରକାରୀ ସହାୟତା, ସବସିଡି ବ୍ୟବସ୍ଥା ଏବଂ ଏନଏମଇଓ-ଓପି ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ବରଗଡ଼ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଏବଂ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ପଦ୍ମପୁର ଗୋବିନ୍ଦ ପ୍ରଧାନଙ୍କ ସମନ୍ବୟରେ ଆୟୋଜିତ ହୋଇଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ କୃଷକ ଏଥିରେ ଅଂଶଗ୍ରହଣ କରି ଅଏଲ ପାମ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ କୃଷକମାନଙ୍କୁ ସରକାରୀ ଯୋଜନାର ସୁଯୋଗ ନେଇ ଅଏଲ ପାମ ଚାଷକୁ ଆପଣାଇବା ସହ କୃଷି ବିବିଧିକରଣ ଏବଂ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଆହ୍ବାନ ଜଣାଯାଇଥିଲା।