ଭାରପ୍ରାପ୍ତ ଏଆର୍‌ସିଏସ୍‌ଙ୍କ ବିରୋଧରେ ଧାରଣାରେ ବସିଲେ ଚାଷୀ

ନୀଳଗିରି, ୪ା୮(ସ୍ବ.ପ୍ର.): ନୀଳଗିରି ସମବାୟ ସମିତି ସମୂହର ନୀଳଗିରି ସହକାରୀ ଭାରପ୍ରାପ୍ତ ନିବନ୍ଧକ ଲକ୍ଷ୍ମୀଧର ରାଉତ ବ୍ୟକ୍ତିଗତ ଆକ୍ରୋଶ ରଖି ସମିତି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ନେଇ ନୀଳଗିରି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ୩୦୦ ଶହରୁ ଅଧିକ ଚାଷୀ ଧାରଣାରେ ବସିଥିଲେ। ରାଉତ କିଛି ଖିଲାପି ଋଣୀ ଓ ଅଣସଭ୍ୟଙ୍କୁ ମତାଇ ଈଶ୍ୱରପୁର ସମିତି ଆଗରେ ବାରମ୍ବାର ଧାରଣାରେ ବସାଇବା ଯୋଗୁ ଚାଷୀମାନେ ଖରିଫ ଋତୁରେ ବିହନ ସାର ଉଠାଇବା ଓ ଚାଷୀ ପଞ୍ଜିକରଣ ପାଇଁ ହଇରାଣ ହରକତ ହେଉଥିବା ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଈଶ୍ୱରପୁର ସେବା ସମବାୟ ସମିତିକୁ ଦୁର୍ନୀତିମୁକ୍ତ, ଚାଷୀ ଓ ଚାଷର ସୁରକ୍ଷା ଦେବା, ନୀଳଗିରି ସମବାୟ ସମିତି ସମୂହର ସ୍ଥାୟୀ ସହକାରୀ ନିବନ୍ଧକ ନିଯୁକ୍ତି ସହ ଭାରପ୍ରାପ୍ତ ସହକାରୀ ନିବନ୍ଧକ ଲକ୍ଷ୍ମୀଧର ରାଉତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀମାନେ ଧାରଣାରେ ବସିଥିଲେ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକ, ଶ୍ରମିକ ନେତା ଅରୁଣ ଜେନା, ଭାଜପା ନେତା ଗଙ୍ଗାଧର ମିଶ୍ର, ଯୁବନେତା ସବ୍ୟସାଚୀ ମହାପାତ୍ର, ଉତ୍ତମ ନାୟକ, ପ୍ରମୁଖ ନିଜ ବକ୍ତବ୍ୟରେ ଏଆରସିଏସ ଲକ୍ଷ୍ମୀଧର ରାଉତଙ୍କ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କଠାରେ ଦାବି କରିଥିଲେ। ଅପରାହ୍ନ ୨ଟାରେ ବାଲେଶ୍ୱର ଡିଆରସିଏସ୍‌ ଗଜେନ୍ଦ୍ର ପଣ୍ଡା ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ଏଆରସିଏସ୍‌ଙ୍କ କାର୍ଯ୍ୟ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା