ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର ଏଭଳି ବିଭିନ୍ନ ନାରାବାଜି କରି ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସରେ ଗର୍ଜି ଉଠିଛନ୍ତି ଚାଷୀ । ଜୟ କିଷାନ ଆନ୍ଦୋଳନର ନେତୃତ୍ୱରେ ହଜାର ହଜାର ଚାଷୀ ବରଗଡ଼ ଗୋଶାଳା ଛକରେ ସମବେତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଚାଷୀଙ୍କ ଆସିବା ପୂର୍ବରୁ ପୋଲିସ ଜିଲାପାଳଙ୍କ ଅଫିସ ମୁଖ୍ୟ ଫାଟକ ବନ୍ଦ କରି ଦେଇଥିଲା । କିନ୍ତୁ ଚାଷୀମାନେ ଜିଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

ଚାଷୀନେତା ଲିଙ୍ଗରାଜ, ସୁଶିଲ କୁମାର ସାହୁ, ହର ବଣିଆ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ନାଟକ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଆଦି ରାଜ୍ୟ ସରକାର କୃଷି ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇ କୃଷକମାନଙ୍କ ଆର୍ଥିକ ବୋଝ ଲାଘବ କରୁଥିବା ବେଳେ ପଞ୍ଜାବ ଏବଂ ଦିଲ୍ଲୀ ସରକାର ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତି ମାଗଣାରେ ଯୋଗାଇ ଆସୁଛନ୍ତି। କିନ୍ତୁ ଓଡ଼ିଶାରେ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ସତ୍ତ୍ୱେ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ସେଭଳି ଆଭିମୁଖ୍ୟ ନ ରହିବା ଦୁର୍ଭାଗ୍ୟଜନକ ବୋଲି ଚାଷୀନେତାମାନେ ପ୍ରକାଶ କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲାର ସବୁ ବ୍ଲକର ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ। । କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ଛାଡ, ବିଜୁଳି କ୍ଷତ୍ରର ଘରୋଇକରଣ ପ୍ରକ୍ରିୟା ବନ୍ଦ କରି ସରକାର ନିଜେ ଏହାର ଦାୟିତ୍ୱ ବହନ କରିବା, ବକେୟା ଥିବା ସମସ୍ତ ଦେୟ ସରକାର ବହନ କରିବା, ପ୍ରତି ପରିବାରକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେବା, କୌଣସି ପରିସ୍ଥିତିରେ ଫସଲ ଥିବା ସମୟରେ ବିଜୁଳି କାଟ କରା ନ ଯିବା, ଲୋଭୋଲେଟେଜ୍‌ ପାୱାର କଟ୍‌ ବନ୍ଦ କରାଯିବା, ଟ୍ରାନ୍ସଫର୍ମର ଅଚଳ ହେଲେ ୨୪ ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଲଗାଇବାର ବ୍ୟବସ୍ଥ କରାଯିବା ଏବଂ ଅର୍ଥ ପଇଠ ହୋଇଥିବା ୯୮୨୩ଟି ଗଭୀର ନଳକୂପ ଶୀଘ୍ର ଖନନ କରାଯିବା ଦାବିରେ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।