ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା ବଜାର ପ୍ରାଙ୍ଗଣରେ ଆମରଣ ଅନଶନ ଆରମ୍ଭ  ହୋଇଛି।

ସୂଚନା ଅନୁଯାୟୀ, ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ପ୍ୟାକ୍ସରେ ଧାନ ବିକ୍ରୟ ପାଇଁ ଆବେଦନ କରିଥିବା ଅଧିକାଂଶ ଚାଷୀଙ୍କୁ ଟୋକନ କମ ମିଳିଥିବା ବେଳେ ୫୧୪ ଜଣ ଚାଷୀଙ୍କୁ ଟୋକନ ମିଳିନାହିଁ। ଏନେଇ ଚାଷୀମାନେ ଗତ ୨୯ ତାରିଖରେ ପ୍ରଶାସନକୁ ଲିଖିତ ଭାବେ ଅଭିଯୋଗ କରିଥିଲେ।

ପରେ ଉପଜିଲାପାଳ ଡଭାରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରି ନ ଥିଲା। ପରେ ବାଧ୍ୟ ହୋଇ ଶହ ଶହ ଚାଷୀ ଡଭା ବଜାର ପ୍ରାଙ୍ଗଣରେ ଧାନ ବସ୍ତା ରଖି ଆମରଣ ଅନଶନରେ ବସିଛନ୍ତି।

ଏହି ଆମରଣ ଅନଶନରେ କୃଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ସହ ଗୁପ୍ତ ସିଦାର, ରମେଶ ପ୍ରଧାନ, କୈଳାଶ ସାହୁ, ଅରୁଣ କୁମାର ପ୍ରଧାନ, ଜୟନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।

ଚାଷୀମାନେ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଟୋକନ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ, ସେପର୍ଯ୍ୟନ୍ତ ତାଙ୍କର ଆମରଣ ଅନଶନ ଜାରି ରହିବ।

Dharitri – Odisha’s No.1 Odia Daily

Share