ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଜେଲ୍ଭରୋ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାରଣ ନୀତିକୁ ବିରୋଧ କରି ବହୁସଂଖ୍ୟକ ଚାଷୀ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧାନବିକ୍ରି ତଥା ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ସମେତ ଦ୍ବିପାକ୍ଷିକ ଆମେରିକା ଏବଂ ଭାରତ ଡିଲ୍ ରବ୍ଦ, ସ୍ବମୀନାଥନ କମିଟି ଅନୁସାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଠିକ୍ କରାଯାଇ ସୁନିଶ୍ଚିତ ବଜାର ବ୍ୟବସ୍ଥା, ସମସ୍ତ ଚାଷୀଙ୍କ ଋଣଛାଡ଼, ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସବସିଡିଯୁକ୍ତ ରାସାୟନିକ ସାର ଯୋଗାଣ, ୪ ଶ୍ରମ କୋଡ୍ ରଦ୍ଦ, ଶ୍ରମିକମାନଙ୍କୁ ମାସକୁ ସର୍ବନିମ୍ନ ୩୧ହଜାର ଟଙ୍କା ଦରମା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରି ୨୦୦ ଦିନ ରୋଜଗାର, ଚାଷ ଜମିକୁ କମ୍ପାନୀକରଣ କରା ନ ଯିବା ,ଏବଂ ଜମି ଅଧିଗ୍ରହଣ ବେଳେ ଚାଷୀମାନଙ୍କ ପରାମର୍ଶ ସୁନିଶ୍ଚିତ କରି ଜୋରଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରାଯିବା, ଝଡ଼ବର୍ଷାରେ ବରଗଡ଼ ବ୍ଲକର ଚକରକେନ୍ଦ ଗ୍ରାମର କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଦାବିରେ ଚାଷୀମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି।