ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି ବୋଲି କୁହାଯାଉଛି। ରିଷିଡା ପାକ୍ସ ଅଧୀନ ପୌରକେଲା ପଞ୍ଚାୟତ ପାଇଁ ପୌରକେଲାଠାରେ ଗତବର୍ଷ ଧାନମଣ୍ଡି ଉଦ୍ଘାଟିତ ହୋଇଥିଲା। କିନ୍ତୁ ଏହି ପଞ୍ଚାୟତର ବୁଢୀପଦର, ଖରଝୁରା ଓ ଶିରାବାହାଲ ଗାଁଠାରୁ ପୌରକେଲା ଧାନମଣ୍ଡିକୁ ଦୂର ହେଉଥିବାରୁ ତଥା ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ରଖିବାକୁ ଜାଗା ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଖରଝୁରା ତାରିଣୀ ଛକଠାରେ ଏକ ଉପମଣ୍ଡି ଖୋଲିବା ପାଇଁ ଏହି ୩ ଗ୍ରାମବାସୀ ଦାବି କରିଥିଲେ। ଏନେଇ ଗ୍ରାମବାସୀ ଜିଲାପାଳଙ୍କ ସମେତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ। ତଦନୁଯାୟୀ ଏଆର୍ସିଏସ୍ ଆର୍ଏମ୍ସି କର୍ମଚାରୀ, ପାକ୍ସ ଅଧିକାରୀ, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉକ୍ତ ସ୍ଥାନକୁ ଯାଇ ଭିତ୍ତିଭୂମି ପରଖିଥିଲେ। ସେଠାରେ ଥିବା ସରକାରୀ ଜମିରୁ ଧାନମଣ୍ତି ପାଇଁ ସ୍ବତନ୍ତ୍ର ଜମି ଯୋଗାଇଦେବାକୁ ରାଜସ୍ବ ବିଭାଗ ମଧ୍ୟ ଅନୁମୋଦନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏଠାରେ ପାନୀୟଜଳ ବ୍ୟବସ୍ଥା, ଗମନାଗମନ ଓ ଆଲୋକର ବ୍ୟବସ୍ଥା ଥିବାରୁ ଚଳିତଥର ଏଠାରେ ଉପମଣ୍ଡି ଖୋଲିବାକୁ ଦାବି ହୋଇଥିଲା। ତେବେ ଅଦ୍ୟାବଧି ମଣ୍ଡି ଖୋଲା ନ ଯିବାରୁ ବୁଢୀପଦର, ଖରଝୁରା ଗ୍ରାମବାସୀ ନିଜେ ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଛନ୍ତି। ଏଠାରୁ ଧାନ ନ ଉଠିଲେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଣ୍ଡି ଉଦ୍ଘାଟନରେ ଡମ୍ବରୁଧର ପାତ୍ର, ରାଜକିଶୋର ପାତ୍ର, ରାସବିହାରୀ ରଣା, ଗୋକୁଳ ଭୋଇ, ବିଶିକେଶନ ରଣା, ନିରଞ୍ଜନ ନନ୍ଦ, ସୁଶାନ୍ତ ପଧାନ, ମାୟାଧର ପଧାନ, ଯୁବରାଜ ପଧାନ, ଇତିହାସ ନନ୍ଦ, ଆତିଷ ପଧାନ, କରୁଣାକର ପଧାନ, ରୋହିତ ନନ୍ଦ, ପରମାନନ୍ଦ ରଣା, ଗାନ୍ଧୀ ରଣା, କୃପା ପାତ୍ର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଚାଷୀନେତା ତଥା ପାକ୍ସ ନିର୍ଦ୍ଦେଶକ ପ୍ରମୋଦ ସାହୁ(ଟୁନୁ) ଯୋଗଦେଇ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିଶ୍ଚିତ ଗୁରୁତ୍ୱ ଦେଇ ଏଠିକାର ଉପମଣ୍ଡିରୁ ଧାନ ଉଠାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।


