ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍ରେ ଅଟଳ ଥିବାବେଳେ, ଅନ୍ୟପଟେ ବର୍ଷା ଓ ଲଘୁଚାପ ସୂଚନା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ମଙ୍ଗଳବାର ଖାଦ୍ୟ ଯୋଗାଣ ବିଭାଗ ଓ ମିଲର ସଂଘ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁଣିଥରେ ବିଫଳ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ରାଜ୍ୟରେ ଶୀତ ଓ କୁହୁଡ଼ି ଜାରି ରହିଥିବା ବେଳେ ଏହି ସମ୍ଭାବ୍ୟ ବର୍ଷା ଖୋଲା ପଡ଼ିଆ ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ନଷ୍ଟ କରିଦେବା ଆଶଙ୍କା ସୃଷ୍ଟି କରିଛି।
ସେପଟେ ବିଭିନ୍ନ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ମିଲର ସଂଘ ସ୍ପଷ୍ଟ କରିଛି ଯେ, ନଭେମ୍ବର ଓ ଡିସେମ୍ବରରେ ମୌଖିକ ପ୍ରତିଶ୍ରୁତି ପାଇ ସେମାନେ କାର୍ଯ୍ୟ କରିଥିଲେ, କିନ୍ତୁ ୫ ସପ୍ତାହ ପରେ ମଧ୍ୟ ସରକାରୀ ଆଦେଶନାମା ପ୍ରକାଶ ନ ପାଇବା ଦୁର୍ଭାଗ୍ୟଜନକ।
ସଂଘର ମୁଖ୍ୟ ଦାବି ଗୁଡିକ ହେଉଛି ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, ଅତିରିକ୍ତ ପ୍ରୋତ୍ସାହନ ରାଶି, ପରିବହନ ଖର୍ଚ୍ଚ ସଂଶୋଧନ ଏବଂ ଅରୁଆ ଚାଉଳ କ୍ଷେତ୍ରରେ ୧% ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ। ସେପଟେ ଏହି ଅଚଳାବସ୍ଥା ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଧାନ ବିକ୍ରି କରିବା ନେଇ ଏବେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି।
ତେବେ ମଣ୍ଡିରେ ଧାନ ପଡ଼ି ରହିଥିବା ବେଳେ ବର୍ଷା ଆଗମନ ଚାଷୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ସେହିପରି ମିଲିଂ ବନ୍ଦ ରହିଲେ ରାଜ୍ୟରେ ଚାଉଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ଖାଦ୍ୟ ଯୋଗାଣ ବିଭାଗ ସମାଧାନ ପାଇଁ ସମୟ ମାଗିଥିବା ବେଳେ ମିଲର ସଂଘ ଏବେ ନିଜର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ ଡକାଇଛି।


