ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି । ଏହାକୁ ନେଇ ସମ୍ପୃକ୍ତ ଚାଷୀଙ୍କ ଦୂଃଖ ବଢି ଚାଲିଛି। ଗତ କିଛିଦିନ ତଳେ ଏଭଳି ସମସ୍ୟା ଯୋଗୁଁ ଜଣେ ଚାଷୀ ବାହାଘର ପାଇଁ ଧାନ ବନ୍ଧା ପକାଇ ଥିଲେ। ତେବେ ତାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଶନିବାର ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଗରଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ରାମଖୋଲ ଗ୍ରାମର ଚାଷୀ ଝାଡ଼େଶ୍ଵର ପାତ୍ର ନିଜ ଚିକିତ୍ସା ପାଇଁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ୩୧୦୦ ଟଙ୍କା ବଦଳରେ କୁଇଣ୍ଟାଲ ପ୍ରତି ୧୬୦୦ ଟଙ୍କାରେ ଧାନ ବିକ୍ରି ପାଇଁ ବାଧ୍ୟ ହୋଇଥିବା କହିଛନ୍ତି । ଗତ ୧୫ତାରିଖରୁ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ ଖରିଫ ଋତୁରେ ନିଜ ପୈତ୍ରୁକ ଜମି ଏକ ହେକ୍ଟର ଏବଂ ନିଜ ଶଶୁର ଘରର ଦୁଇ ଏକର ଜମି ନିଜ ଧର୍ମ ପତ୍ନୀ ତପସ୍ଵିନୀ ପାତ୍ର ଧାନ ଚାଷ କରି ଅଗଷ୍ଟ ମାସ ୨୫ ତାରିଖ ଦିନ ଧାନ ବିକ୍ରି ପାଇଁ ଆବଶ୍ୟକୀୟ କାଗଜପତ୍ର ଦେଇ ସୋସାଇଟିକୁ ଯାଇ ପଞ୍ଜିକରଣ କରିଥିଲେ। ମାର୍ଚ୍ଚ ମାସ ଶେଷ ସୁଦ୍ଧା ଟୋକନ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ବିକ୍ରି କରିବେ ବୋଲି ସେ ଆଶା ବାନ୍ଧିଥିଲେ। ମାତ୍ର ତାଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନାହିଁ। ତାଙ୍କ ସାନଭାଇ ମଧ୍ୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚାଷୀ ଝାଡେଶ୍ବର ଚାଷକାର୍ଯ୍ୟ ସହିତ ଅଞ୍ଚଳର ପରିବେଶ ସୁରକ୍ଷା ଏବଂ ଲୋକଙ୍କ ସେବା କରି ଆସିଛନ୍ତି। ଏବେ ତାଙ୍କର ଏଭଳି ଦୁଃଖ ଅନ୍ୟମାନଙ୍କୁ ମଧ୍ୟ ଦୁଃଖରେ ପକାଇ ଦେଇଛି।