ଚାଷୀଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୨୯।୩: ବରଗଡ଼ ଜିଲା ଟାଉନ ଥାନା ଅଧୀନ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳାବର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲାପାଣି ଛକରେ ରହୁଥିବା ଏସ୍‌. ସତରାଜୁ(୬୫) । ସେ ଜମି ହିଡକୁ ଘାସ କାଟିବାକୁ ଯାଉଥିଲେ। ହେଲେ ସେ ଜମି ହିଡରେ ଛିଣ୍ଡି ପଡି ଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କର୍ତ୍ତବ୍ୟରେ ଅବହେଲା କରିଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରି କି ଉତ୍ତ୍ୟକ୍ତ ଲୋକେ କଲାପାଣି ଛକରେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।