ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର ଫସଲହାନୀ ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀ ବୃନ୍ଦାବନ ଭୁଏ(୬୨)  କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଜଣେ ଚାଷୀ ବିଷ ପିଇ ଦେଇଥିବା ନେଇ କେହି ଜଣେ ତାଙ୍କୁ ଫୋନ କରିଥିଲେ। କିନ୍ତୁ ସବିଶେଷ ତଥ୍ୟ ତାଙ୍କର ହସ୍ତଗତ ହୋଇ ନ ଥିବା ସେ କହିଛନ୍ତି।

ସୂଚନା ଅନୁସାରେ, ମୃତଚାଷୀ ବୃନ୍ଦାବନ ମଙ୍ଗଳବାର ରାତିରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ଗୋଡ଼ଭଗା ଏବଂ ପରେ ବୁର୍ଲା ଭିମସାର ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ ଗଣନାଥ ଅଭିଯୋଗ କରି କହିଛନ୍ତି ଯେ, ଗତ ରବିଋତୁରେ ତାଙ୍କ ବାପା ୧୦ଏକର ଜମିରେ ଧାନଚାଷ କରିଥିଲେ। ତେବେ ଟୋକନ ସମସ୍ୟା ଯୋଗୁ ୧୦୦ବସ୍ତା ଧାନ ସେ ବିକ୍ରି କରି ପାରି ନ ଥିଲେ। ଅନ୍ୟପକ୍ଷେ କୃଷି ସମବାୟ ସମିତି ସମେତ ବିଭିନ୍ନ ସ୍ଥାନରେ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କ ଟଙ୍କା ପରିଶୋଧ ବକେୟା ପଡ଼ିଥିବା ପରିବାର ଲୋକେ କହିଛନ୍ତି। ଏହି ଚିନ୍ତାରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସେମାନେ କହିଛନ୍ତି।