ଲୋଇସିଂହା,୨୦।୪(ସୁଶାନ୍ତ ବାରିକ): ୨୦୨୫-୨୬ ଖରିଫ ଧାନ କ୍ରୟରୁ ବଲାଙ୍ଗୀର ଜିଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲା ମିଳିତ କୃଷକ ମଞ୍ଚ ପକ୍ଷରୁ ସାଲେଭଟା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।
ଯୁବ ନେତା ଆକାଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନର ସଦସ୍ୟ ତଥା ନବ ନିର୍ମାଣ କୃଷକ ସଙ୍ଗଠନ ଜିଲା ସଂଯୋଜକ ହିମାଂଶୁ ସାହୁ, ବିଭୂଦତ୍ତ ମିଶ୍ର, କୌସ୍ତୁବ ସାହୁ, କୃଷ୍ଣଚନ୍ଦ୍ର ନାୟକ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇ ରାସ୍ତା ଅବରୋଧ କରିଥିଲେ। ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ୍ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି କୃଷି ମନ୍ତ୍ରୀ କହିଥିଲେ। ପରବର୍ତ୍ତୀ ସମୟରେ ଜଣେ ଚାଷୀଙ୍କର ଦେଢ଼ଶହ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ କଲେ ବୋନସ ଦିଆଯିବନାହିଁ ବୋଲି ଦୋମୁହାଁ ନୀତି ଅବଲମ୍ବନ କରିଥିଲେ। ଏ ସରକାର ଚାଷୀ ବିରୋଧୀ ବୋଲି ବକ୍ତା ମାନେ କହିଥିଲେ। ରାସ୍ତାରୋକୋ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।