ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ନଂ ଜାରି କରାଯାଇଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ଚାଷୀଙ୍କ ମଧ୍ୟରେ ଛନକା ପଶିଛି। କ୍ଷେତରେ ଧାନ ପାଚିଲା ଅବସ୍ଥାରେ ରହିଛି। ଦିନ କେଇଟା ପରେ ଧାନ କଟା ହୋଇ ଖଳାକୁ ଆସିଥାନ୍ତା। ଏହିପରି ସମୟରେ ବାତ୍ୟା ଅକ୍ୱାନ ଯୋଗୁ ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆଶଙ୍କିତ ହୋଇପଡିଛି। ବର୍ଷକର ଆହାର ସହ ଫସଲ ଉଠିଆ ପାଇଁ କରିଥିବା ଋଣ କିପରି ପରିଶୋଧ କରିବ ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
କୃଷକ ନେତା ଦାଶରଥି ସାହୁ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଟ୍ଟାମୁଣ୍ଡାଇରେ ୨୫ ଏମ୍ଏମ୍ ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ବର୍ଷା ଓ ପବନର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଯଦି ବର୍ଷା ସହ ପବନ ହୁଏ, ତେବେ କ୍ଷେତରେ ଥିବା ପାଚିଲା ଧାନ ଗଛ ସବୁ ଶୋଇଯିବା ସହ ପାଣିରେ ବୁଡ଼ି ଗଜା ହୋଇଯିବା ଭୟ ରହିଛି। ବିଶେଷକରି ଉତିକଣ ତଳିଆ ଅଞ୍ଚଳର ଜମିଗୁଡ଼ିକରେ ବର୍ଷା ପାଣି ଜମି ରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।
କୃଷକ ବିଜୟ ଦାସ କହିଛନ୍ତି, ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୧୧ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ପ୍ରାୟ ୬୦ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ରହିଛି। ବର୍ତ୍ତମାନ ଏହି ଫସଲ କେତେକ ସ୍ଥାନରେ ପାଚି ଯାଇଥିବାବେଳେ ଆଉ କେଉଁଠି ଦରପଚା ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ, ବତ୍ୟା ପ୍ରଭାବରେ ଲଗାଣ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍ଗୁଡ଼ିକ ପୋତି ହୋଇ ପଡ଼ିଥିବାରୁ କ୍ଷେତରେ ପାଣି ଜମି ପାଚିଲା ଧାନ ଗଜା ହୋଇଯିବା ଆଶଙ୍କା ରହିଛି।
ଚାଷୀ ନରେନ୍ଦ୍ର ଧଳ କୁହନ୍ତି, ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଚାଷୀକୁଳ ପାଇଁ ପ୍ରକୃତିର ଲୀଳାଖେଳା ଯେମିତି ଏକ ନିତିଦିନିଆ ଦୁଃସ୍ବପ୍ନ ପାଲଟିଛି। ଚଳିତ ବର୍ଷ ୩ରୁ ୪ ଥର ବନ୍ୟା ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ବନ୍ୟାର କ୍ଷତିକୁ ସମ୍ଭାଳି ସେମାନେ ବିରି ଓ ବିଭିନ୍ନ ପନିପରିବା ଚାଷ କରିଥିଲେ। କାଳିମୁଣ୍ଡି ପୋକ ବିରି ଫସଲ ନଷ୍ଟ କରିଥିଲା। ମାତ୍ର ପନିପରିବା ଫସଲ ଅମଳ ହେବାକୁ ଆଉକିଛି ଦିନ ଥିବାବେଳେ ଏବେ ଅକ୍ୱାନ ବାତ୍ୟାର ମାଡ। ପ୍ରବଳ ବର୍ଷା ହେଲେ ପନିପରିବା କ୍ଷେତ ସହ କାଳିମୁଣ୍ଡି ଦାଉରୁ ବଞ୍ଚି ରହିଥିବା ବିରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି।