Categories: ଜାତୀୟ

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ ହେଉଛି ରାଜ୍ୟରେ ବିଧାନସଭା ନିର୍ବାଚନ। କୃଷକମାନେ ଆଶା କରୁଛନ୍ତି ଯେ ରାଜ୍ୟରେ ନୂଆ ସରକାର ସେମାନଙ୍କର ସମସ୍ତ ଋଣ ଛାଡ ଘୋଷଣା କରିବେ। ଜଣେ କର୍ମଚାରୀଙ୍କ ଋଣ ପରିଶୋଧ ମାମଲାର ବିଚାର ସମୟରେ ବ୍ୟାଙ୍କ ଏଭଳି କହିଛନ୍ତି। ବ୍ୟାଙ୍କର ଯୁକ୍ତିକୁ ଗ୍ରହଣ କରି କୋର୍ଟ କର୍ମଚାରୀଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ ରାଶିକୁ ହ୍ରାସ କରିଛନ୍ତି।

ପଟିଆଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୨୦୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହି କ୍ରମରେ, ୨୦୦୫ରେ ଚାକିରିରୁ ବରଖାସ୍ତ ହୋଇଥିବା ଜଣେ ଡେଲି ଓ୍ବେଜ୍‌ କର୍ମଚାରୀଙ୍କୁ ପୁଣି ନିଯୁକ୍ତି କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲ। କର୍ମଚାରୀଙ୍କୁ ୬ ପ୍ରତିଶତ ସୁଧ ସହିତ ବାର୍ଷିକ ୨୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ବ୍ୟାଙ୍କକୁ କହିଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଏବଂ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶିଳ୍ପ ବିବାଦ ଅଧିନିୟମ ଅନୁଯାୟୀ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ କୌଣସି ତ୍ରୁଟି ନାହିଁ। ଏହା ଉପରେ ବ୍ୟାଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ସୁଧ ସହିତ ଏହି ରାଶି ବହୁତ ଅଧିକ ହେଉଛି। ସେହିଭଳି ୧୨ ଜଣ କର୍ମଚାରୀଙ୍କ ସମାନ ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। ଏହିପରି ସମସ୍ତଙ୍କୁ ଦେୟ ଦେବା ଦ୍ୱାରା ବ୍ୟାଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ।

ସମବାୟ ବ୍ୟାଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ସୁଧୀର ୱାଲିଆ କହିଛନ୍ତି ଯେ ପଞ୍ଜାବର ଚାଷୀମାନେ ବ୍ୟାଙ୍କ ଋଣ ପରିଶୋଧ କରିବା ବନ୍ଦ କରି ଦେଇଛନ୍ତି। ସେମାନେ ନିଶ୍ଚିତ ଅଛନ୍ତି ଯେ ନୂତନ ସରକାର ସେମାନଙ୍କର ସମସ୍ତ ଋଣ ଛାଡ କରିବେ। ଏହି କାରଣରୁ ବ୍ୟାଙ୍କ ପାଖରେ ସମ୍ବଳର ଅଭାବ ଦେଖାଦେଇଛି। ଯଦି ଋଣ ଛାଡ କରାଯାଏ, ତେବେ ଏହା ବ୍ୟାଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।

ବିଚାରପତି ଏହି ଯୁକ୍ତିରେ ସହମତ ହୋଇ ଡେଲି ଓ୍ବେଜ୍‌ କର୍ମଚାରୀଙ୍କ ଆଇନଜୀବୀଙ୍କୁ କହିଛନ୍ତି, ଯଦି ବ୍ୟାଙ୍କ ବଞ୍ଚିବ ନାହିଁ, ତେବେ ତ ପୁଣି ନିଯୁକ୍ତି କେଉଁଠାରେ ହେବ। ଯଦି ବ୍ୟାଙ୍କ ଦେବାଳିଆ ହୋଇଯାଏ। ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ଡେଲି ଓ୍ବେଜ୍‌ କର୍ମଚାରୀଙ୍କ ଭଳି ହେବ ବୋଲି କୋର୍ଟ କହିଛନ୍ତି।

କର୍ମଚାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଦୁର୍ଗା ଦତ୍ତ  କ୍ଷତିପୂରଣ କମ୍‌ କରିବାକୁ ବିରୋଧ କରିଥିଲେ। ସମ୍ପୃକ୍ତ କର୍ମଚାରୀ ୧୭ ବର୍ଷ ଧରି ଯନ୍ତ୍ରଣା ଭୋଗୁଥିବା ସେ ଯୁକ୍ତି ଦର୍ଶାଇଥିଲେ। ତେବେ କୋର୍ଟ କ୍ଷତିପୂରଣ ବାବଦରେ ଏକଲକ୍ଷ ଟଙ୍କା ଦେୟ ରାଶି ସ୍ଥିର କରି ଏହି ମାମଲା ସମାଧାନ କରିଛନ୍ତି।

Share