ମଣ୍ଡିର ସ୍ଥାନ ପରିବର୍ତ୍ତନରେ ତାତିଲେ ଚାଷୀ

କଣ୍ଟାମାଳ, ୨୯।୧୧(ଡି.ଏନ୍‌.ଏ.):ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବଳରାମ କୃଷକ ସଙ୍ଗଠନ ପକ୍ଷରୁ ଧାନମଣ୍ଡିର ସ୍ଥାନ ପରିବର୍ତ୍ତନକୁ ନେଇ ସୋମବାର ଚାଷୀ ତାତିବା ସହ ତହସିଲ ଅଫିସ ଘେରାଓ କରିଥିଲେ। ସଙ୍ଗଠନର ସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ରିତ ସାହୁଙ୍କ ନେତୃତ୍ୱରେ କଣ୍ଟାମାଳ ଅଞ୍ଚଳର ଶତାଧିକ ଚାଷୀ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାଦେଇ ତହସିଲ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଗଠନର ଚାଷୀମାନେ ଏନେଇ ତହସିଲଦାର କର୍ଣ୍ଣ ମଲିକଙ୍କୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବା ସହ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଅଡି ବସି ଚାଷୀମାନେ ରାସ୍ତା ଉପରେ ବସି ରହିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ୪୧ ନମ୍ବର ରାଜ୍ୟ ରାଜପଥ ଅଚଳ ହୋଇପଡିଥିଲା। ଘଟଣା ସମ୍ପର୍କରେ ତହସିଲଦାର ମଲ୍ଲିକ ବିଭାଗୀୟ ଜିଲା ଅଧିକାରୀଙ୍କ ସହ ଆଲୋଚନା ପରେ କଣ୍ଟାମାଳ ପ୍ୟାକ୍ସର ପୂର୍ବରୁ ଚାଲିଥିବା ମଣ୍ଡିଠାରେ ପୂର୍ବପରି ଧାନକିଣା ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ପ୍ରକାଶ ଯେ, କଣ୍ଟାମାଳ, ଖଲିଆପାଲି ଏବଂ ବରଗାଁ ଆଦି ତିନିଟି ପଞ୍ଚାୟତର କେତେକ ଚାଷୀଙ୍କ ପାଇଁ କଣ୍ଟାମାଳ ସେବା ସମବାୟ ସମିତି ନିକଟ ପଡିଆରେ ଧାନ କିଣା ହୋଇ ଆସୁଥିଲା। ଚଳିତବର୍ଷ ଏହାକୁ ଖଲିଆପାଲି ପଞ୍ଚାୟତସ୍ଥିତ ଭାଲିଆପଦର ଆର୍‌ଏମ୍‌ସିର ବଜାର ପ୍ରାଙ୍ଗଣରେ କିଣାଯିବାକୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିଲା। କିନ୍ତୁ ଅଞ୍ଚଳର ଚାଷୀ ଏଥିରେ ଅସନ୍ତୋଷ ପ୍ରକାଶ କରି ବରଗାଁର କିଛି ଗ୍ରାମ ଓ କଣ୍ଟାମାଳର ସମସ୍ତ ଗ୍ରାମର ଚାଷୀଙ୍କ ପାଇଁ ପୂର୍ବପରି କଣ୍ଟାମାଳ ମଣ୍ଡି ଠାରେ ଓ ଖଲିଆପାଲି ଚାଷୀଙ୍କ ନିମନ୍ତେ ଭାଲିଆପଦର ଆର୍‌ଏମ୍‌ସି ବଜାର ପ୍ରାଙ୍ଗଣରେ ଧାନ କିଣା ଯିବାକୁ ନେଇ ଗତ ୧୧।୧୧।୨୦୨୨ରେ ବୌଦ୍ଧ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏଥିରେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ଶେଷରେ ବାଧ୍ୟ ହୋଇ ଚାଷୀମାନେ ତହସିଲ ଅଫିସ ଘେରାଉ ନିଷ୍ପତ୍ତି ନିଆଯାଇଥିବା ବଳରାମ କୃଷକ ସଙ୍ଗଠନର ସଭାପତି ଉପେନ୍ଦ୍ର ସାହୁ କହିଛନ୍ତି।