ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଆବଶ୍ୟକୀୟ ‘ଟୋକନ୍’ ମିଳି ନ ଥିବାରୁ ଶନିବାର ସକାଳୁ ବରଗଡ଼ ସମବାୟ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ(DRCS) କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଚାଷୀ।
ଧାନ ବିକ୍ରି ଟୋକନ୍ ପ୍ରଦାନ ଦାବିରେ ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ରହିଛନ୍ତି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏ ନେଇ ପ୍ରଶାସନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଚାଷୀଙ୍କୁ ତୁରନ୍ତ ଟୋକନ୍ ଯୋଗାଇ ଦିଆ ନ ଯାଏ, ତେବେ ପୂର୍ବ ଘୋଷଣା ମୁତାବକ ଚାଷୀମାନେ ଯେକୌଣସି ମୁହୂର୍ତ୍ତରେ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ। ପ୍ରଶାସନର ମେଳିଆ ନୀତି ଯୋଗୁ ଚାଷୀ କଷ୍ଟଅର୍ଜିତ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଥିବା ସଂଗଠନ ଅଭିଯୋଗ କରିଛି।