ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଖରିଫ୍ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଉପରେ ଏକ ଉପଖଣ୍ଡସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ଖରିଫ୍ ଋତୁରେ ଧାନକିଣା ପାଇଁ ରାଜ୍ୟରେ ଗତ ୬ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚଳିତ ଖରିଫ୍ ଋତୁ ଧାନକିଣା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଉପଖଣ୍ଡ ଅଧୀନସ୍ଥ ୧୨୮ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ମାଧ୍ୟମରେ ଏହି ପଞ୍ଜୀକରଣ କରାଯାଉଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ସହ ସମସ୍ତ ଯୋଗ୍ୟ ଚାଷୀ ଯେପରି ପଞ୍ଜିକରଣର ସୁଯୋଗ ପାଇପାରିବେ, ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।
ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣରେ ଏଆରସିଏସ୍ ବିଜୟ କୁମାର ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଶୃଭରାଜ ସାମନ୍ତରା, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ ସାହୁ ଏବଂ ଆସିକା କୃଷି ଜିଲା ଅଧିକାରୀ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ୟାକ୍ସ ସମ୍ପାଦକମାନଙ୍କୁ ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଉପଜିଲାପାଳ ବେହେରା କହିଥିଲେ ଯେ, ପଞ୍ଜିକରଣ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ଓ ନିର୍ଭୁଲ ହୁଏ, ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ଓ ପ୍ୟାକ୍ସ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଆବଶ୍ୟକ। କୌଣସି ଯୋଗ୍ୟ ଚାଷୀ ଯେପରି ପଞ୍ଜିକରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ କ୍ଷେତ୍ରସ୍ତରରେ ଆବଶ୍ୟକ ସଚେତନତା ଓ ସମନ୍ୱୟ ରଖିବାକୁ ସେ ଗୁରୁତ୍ୱାରୋପ କରିଥିଲେ।
ଚଳିତ ଖରିଫ୍ ଧାନକିଣା ପ୍ରକ୍ରିୟାରେ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ହୋଇଥିବାରୁ ସମବାୟ, ରାଜସ୍ୱ ଓ କୃଷି ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମସ୍ତ ଯୋଗ୍ୟ ଚାଷୀଙ୍କ ଏଗ୍ରିଷ୍ଟାକ୍ ଯଥାଶୀଘ୍ର ସୃଷ୍ଟି କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀମାନଙ୍କୁ ପଞ୍ଜିକରଣ ସମୟରେ ଆବଶ୍ୟକ ସହଯୋଗ ଯୋଗାଇଦେବା ଏବଂ ସମସ୍ୟାର ତୁରନ୍ତ ସମାଧାନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ଭାଗଚାଷୀ ପଞ୍ଜୀକରଣ ସମୟରେ ଭାଗଚାଷୀଙ୍କୁ ଜମି ମାଲିକଙ୍କ ସମ୍ମତିପତ୍ର ସହିତ ଜମି ମାଲିକଙ୍କ ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଦାଖଲ କରିବାକୁ ପଡ଼ିବ। ଏହାପରେ ଜମି ମାଲିକ ଓ ଭାଗଚାଷୀ ଉଭୟଙ୍କର ଆଧାର ଆଧାରିତ e-KYC ଆଇରିସ୍ ସ୍କାନର୍ ମାଧ୍ୟମରେ କରାଯିବ ବୋଲି ସୂଚନା ଦିଆଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧୀନସ୍ଥ ଆସିକା, ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ସୋରଡ଼ା ବ୍ଲକର ତହସିଲଦାର, ବ୍ଲକ କୃଷି ଅଧିକାରୀ, ଯୋଗାଣ ନିରୀକ୍ଷକଙ୍କ ସମେତ ସମସ୍ତ ପ୍ୟାକ୍ସ ସମ୍ପାଦକ ଯୋଗଦେଇଥିଲେ।