ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି ମାସର ବ୍ୟବଧାନ ପରେ ପୁଣିଥରେ ଏହି ଅଞ୍ଚଳରେ ହାତୀ ଆତଙ୍କ ବ୍ୟାପିଯାଇଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମୃତ ଚାଷୀ ଜଣକ ହେଲେ ଡଙ୍ଗାଏଜୁ ଗ୍ରାମର ପ୍ରଦୀପ ପ୍ରଧାନ। ମଙ୍ଗଳବାର ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ପ୍ରଦୀପ ନିଜ ଜମିରେ ଚାଷ କାମ ସାରି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଘରକୁ ଫେରୁଥିଲେ। ସିରାପାଦେରୀ ନିକଟସ୍ଥ ମୁଖ୍ୟ ରାସ୍ତାରେ ହଠାତ୍ ଏକ ଦନ୍ତାହାତୀ ସାମ୍ନାରେ ପଡ଼ିଯିବାରୁ ସାଙ୍ଗରେ ଥିବା ବ୍ୟକ୍ତି ଜଣକ ଦୌଡ଼ି ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ହେଁ, ପ୍ରଦୀପ ହାତୀ କବଳରୁ ବର୍ତ୍ତି ପାରି ନ ଥିଲେ। ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସାଙ୍ଗରେ ଥିବା ବ୍ୟକ୍ତି ଜଣକ ଭୟଭୀତ ଅବସ୍ଥାରେ ଗ୍ରାମକୁ ଦୌଡ଼ି ଯାଇ ପରିବାରବର୍ଗଙ୍କୁ ଜଣାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ କାରଣରୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିପାରି ନ ଥିଲେ ମଧ୍ୟ ବୁଧବାର ସକାଳେ ଅଧିକାରୀମାନେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ପ୍ରଦୀପଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରର ସଂସାର ଉୁଜୁଡ଼ି ଯାଇଥିବାବେଳେ “ଘର ଚଲେଇବା ଏବେ କଷ୍ଟକର” ହୋଇପଡ଼ିଛି ବୋଲି ମୃତକଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହିଛନ୍ତି। ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବା ଏବଂ ହାତୀ ଆସିବା ସମ୍ପର୍ଣ୍ଣ ସଚେତନତା ସୃଷ୍ଟି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଜି.ଉଦୟଗିରି ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ମିଳିବାକୁଥିବା ଅନୁକମ୍ପା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

Dharitri – Odisha’s No.1 Odia Daily

Share