ଚାଷୀଙ୍କ କ୍ଷତିଭରଣା ପୂର୍ବରୁ ଆରମ୍ଭ ରାଜନୈତିକ ଟଣାଓଟରା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରତ୍ୟେକ ଥର ବାତ୍ୟା ପରେ ସହାୟତା ଏବଂ କ୍ଷତିପୂରଣ ମିଳିବା ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଆସିବା ପରେ ଯେପରି ରାଜନୀତି ଜୋର୍‌ ଧରେ ଏଥର ମଧ୍ୟ ତାହା ଦେଖିବାକୁ ମିଳିଛି। ବିଜେଡି କହିଛି ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ଲାଗି ରାଜ୍ୟ ସବୁବେଳେ କେନ୍ଦ୍ର ପାଖରେ ଦାବି କରୁଥିବା ବେଳେ ଅନୁରୂପ ସହଯୋଗ ମିଳୁନାହିଁ। କିଛି ମାଗିବା ପୂର୍ବରୁ ରାଜ୍ୟକୁ ପର୍ଯ୍ୟାପ୍ତ ଅର୍ଥ ରାଶି କେନ୍ଦ୍ର ପଠାଇ ଦେଉଛିି। ହେଲେ ରାଜ୍ୟ ଖର୍ଚ୍ଚ ହିସାବ ଦେଇ ନ ପାରିବାରୁ ଟଙ୍କା ଫେରିଯାଉଥିବା ଭାଜପା କହିଛି। ଅନ୍ୟପଟେ କଂଗ୍ରେସ ବିଜେଡି ଓ ଭାଜପାକୁ ଟାର୍ଗେଟ କରିବା ସହ ଲୋକଦେଖାଣିଆ ଲଢେଇ ଛାଡି ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛି।
ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ କ୍ଷୟକ୍ଷତି ହୋଇଥାଏ ତାହା ଭରଣା କରିବା ଲାଗି ଲଗାତର କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ଆମେ ଅନୁରୂପ ଭାବେ ସହାୟତା ପାଉନାହୁଁ। ସବୁବେଳେ କେନ୍ଦ୍ର ସରକାର ବିପର୍ଯ୍ୟୟ ସହ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରି ଆସୁଥିବା ବେହେରା କହିଛନ୍ତି।
ଭାଜପା ବିଧାୟକ ନାଉରୀ ନାୟକ କହିଛନ୍ତି, ଅନ୍ୟକୁ ଦୋଷଦେବା ଆଗରୁ ପ୍ରଥମେ ନିଜ ଭୁଲ୍‌କୁ ବୁଝିବା କଥା। ବାତ୍ୟା ଅମ୍ଫନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ରାଜ୍ୟର କ୍ଷୟକ୍ଷତି ଆକଳନ କରିଥିଲେ। ଏହାସହ ରାଜ୍ୟ ସରକାର ମାଗିବା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଥିଲେ। ହେଲେ ରାଜ୍ୟ ସରକାର ସବୁ କାମରେ ଯେମିତି ଇସି ଦାଖଲ କରିବା କଥା ସେଥିରେ ଅବହେଳା କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ନାୟକ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବର୍ତ୍ତମାନ ବିଜେଡି-ଭାଜପା ମଧ୍ୟରେ ଭିତିରି ବୁଝାମଣା ଅତ୍ୟନ୍ତ ଭଲ ରହିଛି। ହେଲେ ସେମାନେ ଉପରକୁ ଲୋକଦେଖାଣିଆ ଲଢେଇ କରୁଛନ୍ତି। ଯେଉଁଠି ବାତ୍ୟା ଓ ବନ୍ୟା ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି, ସେଠାରେ କମିଶନ ଗଠନ କରି ରିପୋର୍ଟ ସଂଗ୍ରହ କରିବା ଆବଶ୍ୟକ। ସେମାନେ ଯେଉଁ ରିପୋର୍ଟ ଦେବେ ସେହି ଅନୁଯାୟୀ କାର୍ଯ୍ୟକାରୀ ହେବା ଜରୁରୀ ବୋଲି ବାହିନୀପତି କହିଛନ୍ତି।