ବୀମା ଟଙ୍କା ପାଇଁ କୃଷି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ

ସମ୍ବଲପୁର,୧୭ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାକୁ ନେଇ ଭାଜପା ଓ ବିଜେଡି ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯୁଯୁମୁରା ତହସିଲ ଅଧୀନ ୪ ପଞ୍ଚାୟତର ଚାଷୀ ବୀମା ଟଙ୍କା ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି।

ହାତରେ କୀଟନାଶକ ବୋତଲ ଧରି ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ପୋଲିସ କୀଟନାଶକ ବୋତଲ ଛଡ଼ାଇନେବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁ, ଡିଆର୍‌ସିଏସ୍‌ ଲିଙ୍ଗରାଜ ନାୟକ, ଉପଜିଲାପାଳ ପ୍ରଭାସ ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ବୀମା ଟଙ୍କା ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।