ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା

ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା। ପଡାରେ ୩୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଶହେରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୁହାଯାଇଛି। ୧୯୫୨ମସିହାଠାରୁ ଏହି ସାନ୍ତାଳି ସମ୍ପ୍ରଦାୟ ଏଠାରେ ବସବାସ କରି ଆସୁଥିଲେ ମଧ୍ୟ ଏହି ପଡ଼ାକୁ ଖଣ୍ଡେ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରିନାହିଁ। ଏ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଏହି ଜନଜାତିଙ୍କ ଦୁଃଖ ଶୁଣୁ ନାହାନ୍ତି ବୋଲି ଭାଗମଣି ହଁାସଦା, ରାଜା ହେମ୍ବ୍ରମ୍‌, ଗୌରୀ ମୁର୍ମୁ , ସୁରେଖା ମୁର୍ମୁ, ଦୀନବନ୍ଧୁ ହେମ୍ବ୍ରମ୍‌, ରଇବାରୀ ମାରାଣ୍ଡି ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରାମର ଗର୍ଭବତୀ ମହିଳା, ଅଙ୍ଗନୱାଡି ଶିଶୁ, ଛାତ୍ରୀଛାତ୍ର ଓ ପାନୀୟ ଜଳ ପାଇଁ ମହିଳାମାନେ ଆଣ୍ଠୁଏ କାଦୁଅରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଆଗାମୀଦିନରେ ଏହି ପଡ଼ାକୁ ରାସ୍ତା ନିର୍ମାଣ କରା ନ ଗଲେ ସେମାନେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।