ଲଗାଣ ବର୍ଷାରେ ଭାଙ୍ଗିଲା ଫାଫୁଡ଼ିଆ ନାଳ ପୋଲ, ଶାଳପଡ଼ା–ସରେଇଁ ଯାତାୟାତ ଠପ୍,…..

ଆନନ୍ଦପୁର/ବଞ୍ଚୋ ,୨୮।୭(ସୁଶାନ୍ତ କୁମାର ସାହୁ/ପ୍ରଦୋଷ ବିଶ୍ୱାଳ): ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା  ଆନନ୍ଦପୁର ଉପଖଣ୍ଡରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଘସିପୁରା ବ୍ଲକ ଅନ୍ତର୍ଗତ ସରେଇଁ-ଶାଳପଡ଼ା ମୁଖ୍ୟ ରାସ୍ତାର ସରେଇଁ ନିକଟସ୍ଥ ଫପୁଡ଼ିଆ ନାଳର ପୋଲଟି ସମ୍ପୂର୍ଣ୍ଣ ଭାସିଯାଇଛି। ଫଳରେ ଏହି ଅଞ୍ଚଳର ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ପୋଲ ଭାଙ୍ଗିଯିବା ଫଳରେ ସରେଇଁ, ଅତାସାହି, ଦେଓଗାଁ, ମଦନପୁର, ଭଗାନଇ ସମେତ ଆଖପାଖର ପ୍ରାୟ ୧୦ରୁ ଅଧିକ ଗ୍ରାମର ହଜାର ହଜାର ଲୋକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୋଲ ଭାଙ୍ଗିବା ଯୋଗୁ ଛାତ୍ରଛାତ୍ରୀଙ୍କ ସ୍କୁଲ-କଲେଜ ଯିବା, ରୋଗୀଙ୍କୁ ହସ୍ପିଟାଲ ନେବା ଏବଂ ବ୍ୟବସାୟୀଙ୍କ ମାଲ୍ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲଟି ବହୁ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ୨୦୧୯ ମସିହାରେ ଏକ ନୂତନ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ହେଁ ତାହା ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ବର୍ତ୍ତମାନ ଲଗାଣ ବର୍ଷାରେ ପୋଲଟି ଭାଙ୍ଗିଯିବାରୁ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଘସିପୁରା ବ୍ଲକ ପ୍ରଶାସନ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଯାତାୟତ ପାଇଁ କୌଣସି ଅସ୍ଥାୟୀ ବ୍ୟବସ୍ଥା କରାଯାଇ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନୂଆ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଏବଂ ତୁରନ୍ତ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଶୀଘ୍ର ପୋଲ କାମ ସମ୍ପୂର୍ଣ୍ଣ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share