ମୃତ ଏନ୍‌ପିଏସ୍‌ ଶିକ୍ଷୟିତ୍ରୀଙ୍କ ପରିବାରକୁ ମିଳିଲା ପୁରୁଣା ପେନ୍‌ସନ୍‌ ସୁବିଧା

ଭଞ୍ଜନଗର, ୨୮/୧୧ (ବାବୁଲା ପ୍ରଧାନ): କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ବ୍ଲକ୍‌ର ଏନ୍‌ପିଏସ୍‌ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଞ୍ଜଳି ମଲ୍ଲିକଙ୍କ ପରିବାରକୁ ମିଳିଛି ପୁରୁଣା ପେନ୍‌ସନ୍‌ ଯୋଜନାର ସୁବିଧା। ଏନେଇ ଶନିବାର ତାଙ୍କ ସ୍ୱାମୀ ଅଶୋକ କୁମାର ମଲ୍ଲିକଙ୍କୁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପେନ୍‌ସନ୍‌ ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ର ହସ୍ତାନ୍ତର କରାଯାଇଛି।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ଏନ୍‌ପିଏସ୍‌ କର୍ମଚାରୀଙ୍କ ପରିବାର ପୁରୁଣା ପେନ୍‌ସନ୍‌ ଯୋଜନାର ସୁବିଧା ପାଇବାର ବ୍ୟବସ୍ଥା ରହିଛି। ଏହି ନିୟମ ଅନୁସାରେ, ସ୍ୱର୍ଗତ ଅଞ୍ଜଳି ମଲ୍ଲିକଙ୍କ ପରିବାର ପକ୍ଷରୁ ପୁରୁଣା ପେନ୍‌ସନ୍‌ ପାଇଁ ଆବଶ୍ୟକ ଇଚ୍ଛାପତ୍ର ପୂରଣ କରି କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା। ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ତାଙ୍କ ସ୍ୱାମୀଙ୍କୁ ପେନ୍‌ସନ୍‌ ସମ୍ପର୍କିତ କାଗଜପତ୍ର ପ୍ରଦାନ କରିଛନ୍ତି।

ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ମୃତ ଏନ୍‌ପିଏସ୍‌ କର୍ମଚାରୀଙ୍କ ପରିବାରକୁ ପୁରୁଣା ପେନ୍‌ସନ୍‌ ସୁବିଧା ଯୋଗାଇଦେବା ପ୍ରକ୍ରିୟାରେ ଏହା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ପାଇଁ ଭଞ୍ଜନଗର ବ୍ଲକ୍‌ ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ସଭାପତି ଜଗଦୀଶ ନାୟକ ଗୋଷ୍ଠୀ ଶିକ୍ଷାଧିକାରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅନ୍ୟପକ୍ଷରେ, ଭଞ୍ଜନଗର ବ୍ଲକ୍‌ରେ ଆଉ କେତେକ ଏନ୍‌ପିଏସ୍‌ ଶିକ୍ଷକ କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ପରିବାର ଦୀର୍ଘ ବର୍ଷ ଧରି ପେନ୍‌ସନ୍‌ ସୁବିଧାରୁ ବଞ୍ଚିତ ରହିଛନ୍ତି। ଏହି ପରିବାରଗୁଡ଼ିକୁ ମଧ୍ୟ ନିୟମ ଅନୁଯାୟୀ ନ୍ୟାୟୋଚିତ ପେନ୍‌ସନ୍‌ ସୁବିଧା ଯୋଗାଇଦେବାକୁ ସମ୍ପୃକ୍ତ ପରିବାର ପକ୍ଷରୁ ଦାବି ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Share