ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି ଦେଖିବାକୁ ମିଳିଛି। ଶୁକ୍ରବାର ରାତି ପ୍ରାୟ ୮.୩୦ରୁ ୯.୦୦ଟା ମଧ୍ୟରେ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଗ୍ରାମର ବାଳସିଂ ଲୋହାରଙ୍କ ବାସଗୃହ ଉପରେ ଏକ ବିରାଟ ପଣସ ଗଛ ଭାଙ୍ଗି ପଡ଼ିଛି। ତେବେ ଏହି ଭୟଙ୍କର ଦୁର୍ଘଟଣାରୁ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଘଟଣା ସମୟରେ ବାଳସିଂଙ୍କ ପରିବାରର ୩ ପୁଅ, ବୋହୂ ଏବଂ ୨ ଝିଅଙ୍କ ସମେତ ସମସ୍ତ ସଦସ୍ୟ ଘର ଭିତରେ ରାତ୍ରି ଭୋଜନ କରୁଥିଲେ। ଏହି ସମୟରେ ହଠାତ୍ ବିରାଟ ପଣସ ଗଛଟି ଘର ଉପରେ କୋପି ପଡ଼ିବାରୁ ଚାଳ ଛପର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୂରମାର ହୋଇଯାଇଥିଲା। ସୌଭାଗ୍ୟବଶତଃ ଏହି ବଡ଼ ବିପତ୍ତି ସତ୍ତ୍ୱେ କାହାରି ପ୍ରାଣହାନି ଘଟିନାହିଁ କିମ୍ବା କେହି ଆହତ ହୋଇନାହାନ୍ତି।
ମାତ୍ର ଏହି ଦୁର୍ଘଟଣାରେ ଗରିବ ପରିବାରର ମୁଣ୍ଡ ଗୁଞ୍ଜିବା ପାଇଁ ଥିବା ଏକମାତ୍ର ଆଶ୍ରୟସ୍ଥଳ ବାସଗୃହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଶ୍ରୟହୀନ ହୋଇପଡ଼ିଥିବା ଏହି ପରିବାର ଏବେ ଆଗାମୀ ଦିନ କେମିତି କାଟିବେ, ସେହି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ବିପନ୍ନ ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଜୋରଦାର ଦାବି ହେଉଛି।