ମୃତ ଆଲବମ୍‌ ଅଭିନେତ୍ରୀଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ବଲାଙ୍ଗୀର ଅଫିସ, ୨୮ା୩:ମୋ ଝିଅ ତ ଚାଲିଗଲା, ହେଲେ ତା’ ଆଖିରେ ଆଉ କେହି ଜଣେ ଦୁନିଆ ଦେଖୁ। ତେଣୁ ତା’ର ଦୁଇଆଖିକୁ ଦାନକରିଦେଲି। ଏହିଭଳି କହିଛନ୍ତି ମୃତ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ଗୁରୁ(୨୬)ଙ୍କ ବାପା ପ୍ରଦୀପ କୁମାର ଗୁରୁ। ରବିବାର ରାତିରେ ବଲାଙ୍ଗୀର ସୁଦପଡ଼ାସ୍ଥିତ ମାମୁଘରୁ ଅଭିନେତ୍ରୀ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସୋମବାର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଦୀପ କହିଛନ୍ତି, ରୁଚିସ୍ମିତା ପୁରୀ ଡିଏଭି ସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢ଼ିଥିଲେ। ସେ କେତୋଟି ଓଡ଼ିଆ ଆଲବମ୍‌ ଓ ଭଜନରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ହେବାକୁ ଆଗ୍ରହୀ ଥିଲେ। ଏଥିପାଇଁ ଅନେକ ଥର ପ୍ରୟାସକରି ସେ ବିଫଳ ହୋଇଥିଲେ। ଏହାପରଠାରୁ ସେ ଡିପ୍ରେସନରେ ରହୁଥିଲେ। ଏହାହିଁ ତାଙ୍କ ମୃତ୍ୟୁର କାରଣ ବୋଲି ସେ କହିଛନ୍ତି। ରୁଚିସ୍ମିତାଙ୍କ ମା’ କହିଛନ୍ତି ରବିବାର ସକାଳେ ଘରେ ଆଳୁ ପରଟା କରିବାକୁ ନେଇ ତାଙ୍କର ଝିଅ ସହ କଥା କଟାକଟି ହୋଇଥିଲା। ଏତିକି ଆଉ କିଛି ନୁହେଁ। ବଲାଙ୍ଗୀର ତାଲପାଲିପଡ଼ାରେ ରୁଚିସ୍ମିତାଙ୍କ ଘର। ସୁଦପଡ଼ାରେ ତାଙ୍କ ମାମୁଘର। ତେବେ ମାମୁଘରକୁ ଆସି ସେ କାହିଁକି ଝୁଲିପଡ଼ିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଏସ୍‌ପି ନୀତିନ କୁଶଲକରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।