ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଶନିବାର ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ଆହତମାନକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ନେଉଥିବା ବେଳେ ଆକ୍ରମଣକାରୀମାନେ ଜଣଙ୍କୁ ଆମ୍ବୁଲାନ୍ସରୁ ଘୋଷାଡି ଆଣି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଭୟରେ ଦୌଡ଼ି ପଳାଇଥିଲେ।
ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା। ଫଳରେ ଆହତ ରାଜେଶ ସେଠୀ ଏବଂ ତାଙ୍କ ମା’ ବାପାଙ୍କ ଜୀବନ ରକ୍ଷାପାଇ ଯାଇଥିଲା।
ଏନେଇ ଭଞ୍ଜନଗର ପୋଲିସ ଏକ ମାମଲା ରୁଜୁ କରି ଜଣକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାରୁ ପ୍ରକାଶ ଯେ, ୨୦୧୯ରେ ରାଜେଶ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପାରିବାରିକ ବିବାଦରୁ ଗଣ୍ଡଗୋଳ ହୋଇଥିଲା। ପୋଲିସ ସେ ସମୟରେ ଏନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା। ଏହା ପରଠୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।
ଶୁକ୍ରବାର ରାତରେ କୌଣସି କଥାକୁ ନେଇ ରାଜେଶ ଓ ଅନ୍ୟ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ଏହାପରେ ରାଜେଶଙ୍କୁ ଆକ୍ରମଣକାରୀ ୟମାନେ ଆକ୍ରମଣ କରିଥିଲେ। ଫଳରେ ରାଜେଶ ଧରିଥିବା ତାଙ୍କ ଛୁଆକୁ ଅନ୍ୟ ଜଣେ ଉଦ୍ଧାର କରି ନେଇଥିଲେ । ଏହାର କିଛି ସମୟ ପରେ ଆକ୍ରମଣକାରୀମାନେ ଏକାଠି ହୋଇ ପୁଣି ରାଜେଶଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଅଭିଯୁକ୍ତମାନେ ରାଜେଶଙ୍କ ଘରେ ପଶି ତାଙ୍କ ମା’ ଏବଂ ବାପାଙ୍କୁ ଆକ୍ରମଣ କରିଥିଲେ।
ଏନେଇ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ପଚାରିବାରୁ ୨୦୧୯ରେ ଘଟିଥିବା ପାରିବାରିକ ଶତ୍ରୁତାରୁ ଏହି ଗଣ୍ଡଗୋଳ ହୋଇଛି। ଆକ୍ରମଣରେ ବର୍ତ୍ତମାନ ଦୁଇଜଣ ଜଡ଼ିତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସେ କହିଛନ୍ତି।


