ଜାଲ୍‌ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…

ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଚିତ୍ରକୋଣ୍ଡା ପୋଲସ ଗିରଫ କରିଛି। ସେମାନେ ହେଲେ ମୋହନ ତ୍ରିବେଦୀ, ଇଥାମ ସେଟି ଭେଙ୍କେଟ ରାମନା ଓ କୃପାଭରାମ ତ୍ରିପାଲି। ମୋହନଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ଇଥାମ ଓ କୃପାଭରାମଙ୍କ ଘର ଆନ୍ଧ୍ର ପ୍ରଦେଶର ଏଲମାନଚିଲି ଗ୍ରାମରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା ଓ ହରିଣ ଛାଲ ଥିବା ଖବର ପାଇ ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଶନିବାର ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟାରେଲ ବନ୍ଧୁକ, ୫୦ଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ବା ପଇସା, ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନପଥର ଥିବା ଗୋଟିଏ ଷ୍ଟିଲ ବାକ୍ସ, ନଗଦ ୧୨,୩୧୦ ଟଙ୍କା, ହରିଣ ଚମଡା, ଗୋଟିଏ ସ୍କୁଟି, ତିନୋଟି ମୋବାଇଲ, ଏଟିଏମକାର୍ଡ ପୋଲିସ ଜବତ କରିଥିଲା। ଘର ମାଲିକ ଦ୍ୱିବେଦୀଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା। ଏହି ୩ ଜଣ ଦୀର୍ଘଦିନ ହେଲା ଲୋକଙ୍କୁ ଜାଲ୍‌ ରତ୍ନପଥର, ତମ୍ବା, ହନୁମାନ ପଇସା ଦେଇ ଠକୁଥିଲେ। ପୋଲିସ ଏକ ମାମଲା(କେସ୍‌ ନଂ. ୨୫/୨୧) ରୁଜୁ କରି ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି।