ବହୁ ଜୀବନ ନେଇଛନ୍ତି ନକଲି ଡାକ୍ତର

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ଟଙ୍କା ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରୁଛି। ସୋମବାର ରିମାଣ୍ଡର ତୃତୀୟ ଦିନରେ ମଧ୍ୟ ତାଙ୍କୁ ମାରାଥନ ଜେରା କରାଯାଇଥିଲା। ତାଙ୍କ ବୟାନ ଆଧାରରେ ପୋଲିସ ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଚଢ଼ାଉ କରି ରମେଶଙ୍କ ୨ଟି ଗାଡ଼ି ଜବତ କରିଛି।
ଅନ୍ୟପକ୍ଷରେ ତଦନ୍ତରୁ ଜଣାପଡ଼ିଛି, ରମେଶ ଢ଼େଙ୍କାନାଳ କାମାକ୍ଷାନଗରରେ ୧୯୯୦ରୁ ୨୦୧୯ ଯାଏ ଡାକ୍ତର ନ ହୋଇବି କ୍ଲିନିକ୍‌ ଚଳାଇଥିଲେ। ଭୁଲ୍‌ ଚିକିତ୍ସା ଫଳରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିସହ ସେ ଢେଙ୍କାନାଳ କଙ୍କଡ଼ାହାଡ଼ରୁ ବେଆଇନ୍‌ କାଠଚାଲାଣ ମଧ୍ୟ କରୁଥିଲେ। ସେହିଭଳି କାମାକ୍ଷାନଗର ପୋଷ୍ଟ ଅଫିସ ନିକଟରେ ସେ ୧୯୯୫ରେ ଜାଗା କିଣି ଘର କରିଥିଲେ। ହେଲେ ବର୍ତ୍ତମାନ ଉକ୍ତ ଘର ବନ୍ଦ ରହିଥିବା ଜଣାପଡ଼ିଛି। ଏଥିସହ ଜଣେ ଡ୍ରାଇଭରଙ୍କୁ ସେ ୩୦ ହଜାର ଠକିଛନ୍ତି। ପୋଲିସ କହିଛି, କୃଷ୍ଣ ନାମକ ଜଣେ ଡ୍ରାଇଭରଙ୍କଠାରୁ ଅଭିଯୁକ୍ତ ରମେଶ ୬୦ ହଜାର ଟଙ୍କା ନେଇଥିଲେ। ୩୦ ହଜାର ଟଙ୍କା ଫେରାଇ ଥିବାବେଳେ ବାକି ଟଙ୍କା ଦେଇ ନ ପାରି ୩୦ଟି ଆୟୁର୍ବେଦ ମେଡିସିନ୍‌ ପେଟି ତାଙ୍କ ପାଖରେ ବନ୍ଧା ରଖିଥିଲେ। ତେବେ ଉକ୍ତ ମେଡିସିନ ସବୁ ଏକ୍ସପାୟାର ଥିବା ଡ୍ରାଇଭର ଜଣକ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଟିମ୍‌ ଉକ୍ତ ୩୦ ପେଟି ମେଡ଼ିସିନ୍‌କୁ ଜବତ କରିଛି।
ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି, ଏକ ପୋଲିସ ଟିମ୍‌ କେନ୍ଦ୍ରାପଡ଼ାରେ ଥିବା ରମେଶଙ୍କ ପୈତୃକ ଘରକୁ ତଦନ୍ତ କରିବାକୁ ଯିବ। ଏହାବ୍ୟତୀତ ପାରାଦୀପ ଓ ଢେଙ୍କାନାଳ ଯାଇ ଅଧିକ ତଥ୍ୟ ହାସଲ କରିବ। ଏଥିସହ ଅଭିଯୁକ୍ତ ରମେଶଙ୍କ ରିମାଣ୍ଡ ଅବଧି ବଢ଼େଇବାକୁ କୋର୍ଟରେ ପ୍ରାର୍ଥନା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଏବେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।