କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ୧୬ ଜଣ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଘଟଣା ସ୍ଥଳ ନ୍ୟାଶନାଲ ହାଇଓ୍ବେ ୫ ସ୍ଥିତ ଚଉରା ଗାଁ ଗସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ବିଧାନସଭାରେ ମୃତକଙ୍କ ସଂଖ୍ୟା ପ୍ରକାଶ କରିଛନ୍ତି।
କିନ୍ତୁ ଚିନ୍ତାର କଥା ହେଲା ପାହାଡ଼ରୁ ଏବେ ବି ପଥର ଖସୁଛି। ଫଳରେ ବାରମ୍ବାର ବାଧାପ୍ରାପ୍ତ ହେଉଛି ଉଦ୍ଧାର କାର୍ଯ୍ୟ। ନିଖୋଜ ଥିବା ପ୍ରତ୍ୟେକଙ୍କ ଜୀବନ ପାଇଁ ଗୋଟିଏ ଗୋଟିଏ ମିନିଟ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଯଥା ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଉଛି। ଗୁରୁବାର ସକାଳ ୪ଟାରୁ ଏନ୍ଡିଆରଏଫ୍, ଆଇଟିବିପି, ରାଜ୍ୟ ପୋଲିସ ଓ ହୋମଗାର୍ଡ ପକ୍ଷରୁ ଆରମ୍ଭ କରାଯାଇଥିଲା ଉଦ୍ଧାର କାର୍ଯ୍ୟ। ସେମାନଙ୍କୁ ୪ ଜଣଙ୍କ ମୃତଦେହ ସହ ଏଚ୍ଆରଟିସି ବସର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି। ହାଇଓ୍ବେଠାରୁ ୩୦୦ ମିଟର ତଳେ ଦବି ହୋଇ ରହିଛି ବସ୍। କିନ୍ତୁ ସକାଳ ୧୧ଟାରେ ପଥର ଖସିବାରୁ ଦେଢ଼ ଘଣ୍ଟା ପାଇଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିଲା। ଅପରାହ୍ନରେ ମଧ୍ୟ ବାଧକ ସାଜିଥିଲା ସମାନ ସମସ୍ୟା। ଏଭଳି ପରିସ୍ଥିତି ଯୋଗୁ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ଉଦ୍ଧାର କାର୍ଯ୍ୟ।


