ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି। ଏଯାଏ ଘଟଣାର ତଦନ୍ତ ହୋଇନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଣେ ବ୍ୟକ୍ତି ଦୁଇଟି ଅନୁଷ୍ଠାନରେ ଏକକାଳୀନ ଚାକିରି କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଏଠାରେ ଆଲୋଚନା ହେଉଛି। ସୂଚନା ଅନୁଯାୟୀ ଗଣ୍ଡାବାହାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାରାମ ମେହେର ଖେଳ ଶିକ୍ଷକ ଥାଇ ସିନାପାଲି ମହାବିଦ୍ୟାଳୟରେ ଖେଳ ଶିକ୍ଷକ ଭାବେ ୧୯୯୪ ଜୁନ୍ ୧ରୁ ୧୯୯୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨୨ ମାସର ଦରମା ଟଙ୍କା ନେଇଛନ୍ତି। ଖେଳ ଶିକ୍ଷକ ମେହେର ଦୁଇଟି ଶିକ୍ଷାନୁଷ୍ଠାନରେ ଏକକାଳୀନ ଚାକିରି କରୁଥିବା ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟରେ ଅଭିଯୋଗ ପରେ ନୂଆପଡ଼ା ଜିଲା ଶିକ୍ଷା ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ଓଡ଼ିଶା ଶିକ୍ଷା ନିର୍ଦ୍ଦେଶାଳୟ ପତ୍ରସଂଖ୍ୟା ୧୫୪୫୭,୨୦୨୫ ଜୁନ୍ ୧୬ରେ ନିର୍ଦ୍ଦେଶ ଦେଇଥିଲେ। ୧୦ମାସ ପରେ ଜିଲା ଶିକ୍ଷା ଅଧିକାରୀ ପତ୍ରସଂଖ୍ୟା-୨୫୫,୨୦୨୬ ମାର୍ଚ୍ଚ ୨୬ରେ ଗଣ୍ଡାବାହାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠି କରିବାରୁ ଜାଲିଆତି ଘଟଣା ସାମ୍ନାକୁ ଆସିଥିଲା। ଖେଳ ଶିକ୍ଷକ ମେହେର କହିଛନ୍ତି, ଏହା ଭିତ୍ତିହୀନ, କିଏ ଫସାଇବା ପାଇଁ ଚକ୍ରାନ୍ତ କରିଛି ା ମୁଁ ୧୯୮୭ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଣ୍ଡାବାହାଲିରେ ନିଯୁକ୍ତ ହୋଇ ୧୯୮୯ ଡିସେମ୍ବର ୬ରେ ସମ୍ବଲପୁର ମହାବିଦ୍ୟାଳୟରୁ ସିପିଇଡି ସାର୍ଟିଫିକେଟ ଆଣି ଉଚ୍ଚ ବିଦ୍ୟାଳୟରେ ଦାଖଲ କରିଛି ା କିଏ ମୋ ନାମରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବ। ଏହାର ତଦନ୍ତ ପାଇଁ ମାର୍ଚ୍ଚ ୩୧ରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି କହିଥିଲେ। ହେଲେ ଅଭିଯୋଗ ଦେବାର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନାହିଁ। ସିନାପାଲି ଥାନା ଅଧିକାରୀ ଦୁର୍ଗାମାଧବ ବାଘଙ୍କୁ ପଚାରିବାରୁ ଏହି ମାମଲା ୩୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ସବୁ ବିଷୟ ଉପରେ ତଦନ୍ତ କରିବା ପାଇଁ ସମୟ ଲାଗିବ ବୋଲି କହିଥିଲେ। ସିନାପାଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଏ.ବି. ଡୁଙ୍ଗ୍ଡୁଙ୍ଗ୍ଙ୍କୁ ପଚାରିବାରୁ ଏହି ଘଟଣା ପାଖାପାଖି ୩୦ବର୍ଷରୁ ଊର୍ଦ୍ଧ୍ୱ ହେବ। ସେ ୨୦୨୨ରେ ଯୋଗଦାନ କରିଛନ୍ତି। ସେ ବିଷୟ ଉପରେ ତାଙ୍କୁ ଜଣାନାହିଁ। ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ଚିଠି ଆସିଛି। କଲେଜରେ ପରୀକ୍ଷା ଚାଲିଥିବାରୁ ବ୍ୟସ୍ତ ରହିଥିଲେ ବୋଲି ସେ କହିଥିଲେ।
Dharitri – Odisha’s No.1 Odia Daily

