ମଜୁରି ବାବଦରେ ମିଳିଲା ନକଲି ଟଙ୍କା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଠିକାଦାରଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏମ୍‌ପିଭି-୭୦ ଗ୍ରାମର ରସିକ ମଣ୍ଡଳ। ଏପରି ଘଟଣା ମାଲାକାନଗିରି ଜିଲା କାଲିମଳୋ ବ୍ଲକରେ ଘଟିଛି।

ମିଳିଥିବା ସୂଚନା ମୁତାବକ, ଏମ୍‌ଭି-୭୯ ଥାନା ଅଧୀନ ଗୋରଖପାଲି ଗ୍ରାମର କିଛି ଶ୍ରମିକଙ୍କୁ ଠିକାଦାର ରସିକ ଆନ୍ଧ୍ର ପ୍ରଦେଶରେ କାମ ଯୋଗାଇ ଦେବାକୁ ଡାକି ନେଇଥିଲେ। ସେଠାରେ ସେମାନଙ୍କୁ ବର୍ଷେ ପର୍ଯ୍ୟନ୍ତ କାମ କରାଇ ପ୍ରାପ୍ୟ ଦେଇ ନ ଥିଲେ। ଶେଷରେ ସେମାନଙ୍କୁ ଅଳ୍ପ କିଛି ଅର୍ଥ ଦେଇ ଗ୍ରାମକୁ ଗଲେ ବକେୟା ଅର୍ଥ ଦେବାକୁ କହିଥିଲେ। ଗ୍ରାମକୁ ଆସିବା ପରେ ଶ୍ରମିକଙ୍କ ଟଙ୍କା ନ ଦେବାରୁ ସମ୍ପୃକ୍ତ ଶ୍ରମିକମାନେ ଗ୍ରାମରେ ଜଣାଇ ଗ୍ରାମସଭା କରି ବକେୟା ଅର୍ଥ ଦାବି କରିଥିଲେ। ଠିକାଦାର ସମସ୍ତ ଶ୍ରମିକଙ୍କୁ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିଛିଦିନ ପରେ ସେ ରାତିରେ ଶ୍ରମିକମାନଙ୍କ ଘରକୁ ଆସି ଟଙ୍କା ଦେଇଥିଲେ। ମାତ୍ର ତା’ପରଦିନ ଶ୍ରମିକମାନେ ଏହି ଟଙ୍କା ନେଇ ବଜାରରେ ବିଭିନ୍ନ ସାମଗ୍ରୀ ଖରିଦ କରିବା ସମୟରେ ଏହା ନକଲି ବୋଲି ଜଣାପଡିଥିଲା। ଏନେଇ ଶ୍ରମିକମାନେ ଏମ୍‌ଭି-୭୯ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୧୦୨/୨୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଅଭିଯୋଗର ସତ୍ୟତାକୁ ଭିତ୍ତି କରି  ପୋଲିସ ଠିକାଦାର ରସିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।