ନକଲି ଔଷଧ, ଅସଲି ରୋଗୀ

ଡ. କୁଳାଙ୍ଗାର

 

 

ବାହାଘର ଭୋଜିରେ ଖାଉ ଖାଉ ସିଏ ଲୋଭରେ ଟିକେ ଅଧିକ ମଟନ ଖାଇଦେଲା। ବିଧି ଅନୁଯାୟୀ ବାହାଘର ଭୋଜି ହୋଇଥିବାରୁ ଖାଦ୍ୟଗ୍ରହଣ ପୂର୍ବରୁ ପେଟରେ ନାଲିପାଣି ମୁନ୍ଦେ ପଡ଼ିଥିଲା। ଘରକୁ ଫେରିଲା ପରେ ଉଦରସ୍ଥ ଉଭୟ ତରଳ ଏବଂ କଠିନ ଦ୍ରବ୍ୟ ତାଙ୍କର ପ୍ରଭାବ ପ୍ରଦର୍ଶନ କଲେ। ଫଳରେ ସିଏ ବାରମ୍ବାର ଶୟନ କକ୍ଷରୁ ଶୌଚାଳୟକୁ ଗସ୍ତ କରିବା ପରେ ମଧ୍ୟ ନିଷ୍କାସନ ସମ୍ଭବପର ନ ହୁଅନ୍ତେ ଘର ଲୋକଙ୍କୁ ଜଣାଇଲା।
ଘରଲୋକେ ତାକୁ ରାତିଅଧରେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ଡାକ୍ତର ଖୁସି ମନରେ ଆଖିମଳି ଡାକ୍ତରଖାନାରେ ପହଞ୍ଚତ୍ଲେ ଏବଂ କାଳ ବିଳମ୍ବ ନ କରି ତୁରନ୍ତ ରକ୍ତ, ମଳ, ପରିସ୍ରା, ଛାତି, ମୁଣ୍ଡ, ଶିରା ପ୍ରଶିରା ଆଦିର ଗୁଡ଼ିଏ ପରୀକ୍ଷା କରି ପକାଇବା ପାଇଁ ପରାମର୍ଶ ଦେଲେ।
ଡାକ୍ତର ତା’ ସ୍ତ୍ରୀକୁ କହିଲେ- ସମସ୍ୟା ବଡ଼ ଗମ୍ଭୀର! ତୁରନ୍ତ ଆଇସିୟୁରେ ଭର୍ତ୍ତି ନ କଲେ କ’ଣ କ’ଣ ହୋଇଯାଇପାରେ। ଆପଣ ଯଦି ରିସ୍କ୍‌ ନେବାକୁ ପ୍ରସ୍ତୁତ ତା’ହେଲେ ଆମେ ଏମିତି ଚିକିତ୍ସା ଚଳେଇ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ। ତା’ ଘରଣୀ ପଚାରିଲା – ରିପୋର୍ଟ ଆସିବାକୁ କେତେ ସମୟ ଲାଗିବ କି? ଏବେ ଡାକ୍ତରଙ୍କ ତରଫରୁ ତାଙ୍କ ନର୍ସ କହିଲେ- ସକାଳ ପାଇଲେ ଷ୍ଟାପ୍‌ ଆସିଲେ ଯାଇ ରିପୋର୍ଟ ଦେବେ ! ହାରାହାରି ଦିନ ଏଗାରଟା! ଏହା ଶୁଣି ତା’ ଘରଣୀ କ’ଣ କରିବ ଭାବିବା ପୂର୍ବରୁ ଡାକ୍ତର ବାବୁ ପୁଣି ଥୋପ ପକେଇଲେ, ଆଚ୍ଛା ମ୍ୟାଡାମ! ଆପଣଙ୍କ ଘରେ କାହାର କିଡ୍‌ନୀ ଫେଲ୍ୟୁଅର, ହାର୍ଟ ଆଟାକ କି କ୍ୟାନ୍‌ସର ଆଦି ହୋଇଥିଲା କି? କାରଣ ଏସବୁ ବଂଶଗତ ଭାବରେ ହେବାର ଶତ ପ୍ରତିଶତ ନ ହେଲେ ମଧ୍ୟ ଅଧିକ ସମ୍ଭାବନା ଥାଏ!
ଏମିତିଆ ବଡ଼ ବଡ଼ ରୋଗ କଥା ଶୁଣି ତା’ ଘରଣୀର ଆଖି ବଡ଼ବଡ଼ ହୋଇଗଲା। ଘର ବୋଇଲେ ତ ସବୁ ମହୀୟସୀ ମହିଳାଙ୍କ ପରି ସିଏ ନିଜର ବାପଘରକୁ ବୁଝନ୍ତି! ଅତଏବ ଘରଣୀ ଏଥର କାନ୍ଦକାନ୍ଦ ହୋଇ କହିଲା – ହଁ ସାର୍‌, ମୋ ଜେଜେବାପାଙ୍କର ବୋନ୍‌ ମ୍ୟାରୋ କ୍ୟାନ୍‌ସର ହୋଇଥିଲା, ମୋ କକା ହାର୍ଟ ଆଟାକରେ ଚାଲିଗରେ ଆଉ ମୋ ବୋଉର କିଡ୍‌ନୀ ଖରାପ। ଏହା କହି ତା’ ଘରଣୀ କାନ୍ଦ ଆରମ୍ଭ କରନ୍ତେ ସିଏ ଗୋଡ଼ହାତ ଛାଟି ତାହାକୁ ବାରଣ କରିବାକୁ ଚେଷ୍ଟା କଲା। କଥା କ’ଣ କି ସେତେବେଳକୁ ଆଉ ସିଏ କଥା କହିବା ଅବସ୍ଥାରେ ନାହିଁ। ଅତଏବ ସିଏ ପ୍ରତିବାଦ ସ୍ବରୂପ ଯେବେ ବଡ଼ ବଡ଼ ଆଖି କରି ଗୋଡ଼ହାତ କଚାଡ଼ିଲା, ଡାକ୍ତର ଆଉ କାଳ ବିଳମ୍ବ ନ କରି ଏହି ସୁଯୋଗରେ ତା’ ଘରଣୀକୁ କହିଲେ – ଦେଖନ୍ତୁ ଜଣେ ମଣିଷ ସର୍ବାଧିକ ତିନିଟା ଷ୍ଟ୍ରୋକ୍‌ ସମ୍ଭାଳି ପାରିବ। ଯଦି ଆପଣ କହିବେ ଆମେ ତୁରନ୍ତ ଆଇସିୟୁକୁ ନେଇଯିବୁ ଯେଉଁଠି ସବୁ ସମସ୍ୟାକୁ ସମ୍ଭାଳି ରୋଗୀକୁ ବଞ୍ଚେଇବା ପାଇଁ ବନ୍ଦୋବସ୍ତ ରହିଛି। ଯଦି ନ ଚାହିଁବେ ତେବେ….
ଡାକ୍ତରଙ୍କ କଥା ରୋକି ତା’ ଘରଣୀ ହାତଯୋଡ଼ି କହିଲା – ଯାହା ପଡ଼ିବ ପଡୁ…. ମୋ ସ୍ବାମୀଙ୍କୁ ପ୍ଲିଜ୍‌ ବଞ୍ଚାନ୍ତୁ! ବାସ୍‌…। ଏଇ ସୁଯୋଗକୁ ଅପେକ୍ଷା କରିଥିବା କର୍ମଚାରୀ ଜଣକ ଚଟାପଟ ଗୁଡ଼ାଏ ସର୍ତ୍ତାବଳୀ ଲେଖା ଫର୍ମରେ ତା’ ଘରଣୀର ଦସ୍ତଖତ କରାଇନେଲେ। ସେତେବେଳକୁ ଭୋର୍‌ ପାଖାପାଖି ସମୟ। ଏବେ ତାକୁ ପୋଷାକ ବଦଳେଇ ଆଇସିୟୁରେ ଭର୍ତ୍ତି କରିଦିଆଗଲା। ଡାକ୍ତରବାବୁ ଚର୍‌ ଚର୍‌ କରି ବେଜାଏ ଔଷଧ ଇଞ୍ଜେକ୍‌ଶନ ଲେଖି ପକାଇଲେ। ସେ ସବୁକୁ ତା’ ପୁଅ ଯାଇ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନରୁ କିଣି ଆଣିଲା। ଆଇସିୟୁ ଭିତରକୁ ତ ସବୁବେଳେ ପ୍ରବେଶ ନିଷେଧ! ତେଣୁ ବାହାରେ ତା’ ଘରଣୀ ଓ ପୁଅ ଅନିଦ୍ରା ହୋଇ ଜଗିରହିଲେ। ସେପଟେ ଆଇସିୟୁ ଭିତରେ ଶରୀରରେ ଇଞ୍ଜେକ୍‌ଶନ ଓ ସାଲାଇନର ଜଳ ପ୍ରବେଶ କରନ୍ତେ ତା’ର ଖୋଲା ଝାଡ଼ାଟିଏ ହୋଇଗଲା ଓ ସିଏ ନିଘୋଡ଼ ନିଦରେ ଶୋଇ ପଡ଼ିଲା। ବାହାରେ ଥାଇ ତା’ ଘରଣୀ ଓ ପୁଅ ଆଇସିୟୁ ଭିତରୁ ବାହାରକୁ ଆସୁଥିବା ନର୍ସକୁ ପଚାରିବାରୁ ସେମାନେ ଶୁଣାଇଲେ କି – ପେସେଣ୍ଟର ସେନ୍ସ ନ ଆସିବା ପର୍ଯ୍ୟନ୍ତ କିଛି କହି ହେବନି! ଏହା ଶୁଣି ସେମାନେ ନର୍ସକୁ ହାତଯୋଡ଼ି ଅନୁରୋଧ କଲେ ପ୍ଲିଜ୍‌ କିଛି କରନ୍ତୁ। ନର୍ସ ପୁଣି ଶୁଣାଇଦେଲେ କି – ଡକ୍ଟର ଆସିଲେ ଯାହା କହିବେ! ଏଥର ପୁଅ ଓ ଘରଣୀ ଚାପ ସୃଷ୍ଟି କରିବାରୁ ନର୍ସ ଡାକ୍ତରଙ୍କୁ ଫୋନ୍‌ କଲେ, ଡାକ୍ତର ଆଉ ମେଞ୍ଚାଏ ଔଷଧ ଡାକିଦେଲେ। ପୁଅ ସବୁ କିଣି ଆଣିଲା। ଦିନ ଏଗାରଟା ବେଳକୁ ଭିତରକୁ ଯାଇ ଦେଖିଲେ ସିଏ ଶୋଇଛି। ଡାକ୍ତର ରାଉଣ୍ଡରେ ଆସି ଦେଖିସାରି କହିଲେ – ରିପୋର୍ଟରେ ଅଳ୍ପ କିଛି ଅସୁବିଧା ଅଛି କିନ୍ତୁ ସେନ୍ସ ଆସିବା ପର୍ଯ୍ୟନ୍ତ କିଛି କହିହେବନି!
ନିଶାର ପ୍ରଭାବ ହ୍ରାସ ପାଆନ୍ତେ ଅପରାହ୍ନ ୩.୩୦ ବେଳକୁ ତା’ ନିଦ ଭାଙ୍ଗିଲା। ନର୍ସ ବାହାରକୁ ଯାଇ ମିଠା ଖାଇବା ବାବଦରେ ପାଅଁାଶ ଟଙ୍କା ନେଇ ଜଣାଇଲା କି ତା’ର ଚେତା ଫେରିଲା। ଡାକ୍ତର ସେଦିନ ଆସିଲେନି। ପରଦିନ ଆସି କହିଲେ – ରୋଗୀ ଏବେ ବିପଦ ମୁକ୍ତ କିନ୍ତୁ ୪୮ ଘଣ୍ଟା ଅବଜରଭେଶନରେ ରହିବା ଜରୁରୀ। ଯଦି ଆପଣ ରିସ୍କ ନେବେ ଘରକୁ ନେଇ ପାରନ୍ତିି। ଅତଏବ ବାଧ୍ୟ ହୋଇ ସିଏ ଭିତରେ ଓ ସ୍ତ୍ରୀ ପିଲା ବାହାରେ ରହିଲେ। ଚାରିଦିନ ପରେ ଅଣଷଠି ହଜାର ପାଞ୍ଚଶହ ଏକତିରିଶ ଟଙ୍କା ବିଲ୍‌ ଦେଇ ଘରକୁ ଫେରି ସିଏ ଟିଭିରେ ଦେଖିଲା; ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁଥିବା ନକଲି ଡାକ୍ତରଙ୍କ ନର୍ସିଂହୋମ୍‌ ଓ ଔଷଧ ଦୋକାନରେ ଚଢ଼ଉ ହୋଇଛି।
ସିଏ ଟିଭିରେ ଦେଖି ଚିହ୍ନିଦେଲା ତାକୁ ଚିକିତ୍ସା କରୁଥିବା ଡାକ୍ତର ଗିରଫ ହୋଇ ଯାଉଛନ୍ତି। ସିଏ ଜଣେ ନକଲି ଡାକ୍ତର। ଔଷଧ ଦୋକାନକୁ ଦେଖି ତା’ ପୁଅ ଚିହ୍ନି ଦେଲା। କହିଲା – ବାବା, ମୁଁ ବା ସେଇ ଦୋକାନରୁ ଯାଇ ତମ ପାଇଁ ଔଷଧ ଆଣୁଥିଲି। ଏ ଖବର ପାଇ ସିଏ, ତା’ ପୁଅ ଓ ଘରଣୀ ଏବେ ଦ୍ୱନ୍ଦ୍ୱରେ! ସେମାନଙ୍କ ମନରେ ଦ୍ୱନ୍ଦ୍ୱ; ଡାକ୍ତର ନକଲି, ଔଷଧ ନକଲି!! ତା’ ହେଲେ ତା’ ରୋଗ ଭଲ ହେଲା କିପରି?
ଏହାର ଉତ୍ତର କାହା ପାଖରେ ଥିଲେ ଦୟାକରି ଜଣାଇବେ…..!!!
ଅଲରା, ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri