ଟିକା ପଞ୍ଜୀକରଣ ପାଇଁ ଫେକ୍‌ ଲିଙ୍କ୍‌

ଦତ୍ତାତ୍ରେୟ ନାୟକ
ପୁରୀ ଅଫିସ, ୨୦ା୭: ରାଜ୍ୟରେ ସମ୍ପ୍ରତି ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଆଗ୍ରହ ପ୍ରକାଶ ପାଉଛି। ଏଥିଲାଗି ଜୁଲାଇ ୧୫ରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନରେ ନାମ ପଞ୍ଜୀକରଣ ହେଉଛି। ତେବେ ସାଇବର ଠକମାନେ ଏହାର ସୁଯୋଗ ନେଇ ପଞ୍ଜୀକରଣ ନାମରେ ମୋବାଇଲ ଫୋନକୁ ଫେକ୍‌ ଲିଙ୍କ୍‌ ପଠାଇ ଅର୍ଥ ଲୁଟିବାକୁ ଉଦ୍ୟମ କରୁଛନ୍ତି। ଏଭଳି ଠକେଇ ଉଦ୍ୟମ କରାଯାଉଥିବା ନେଇ ପୁରୀ ସହରର ଅନେକ ମୋବାଇଲ ୟୁଜର୍ସ ଅଭିଯୋଗ ଆଣିଛନ୍ତି। ନିକଟରେ ଚନ୍ଦନପୁର ଅଞ୍ଚଳର ବିଜୟ ବରାଳଙ୍କ ଆକାଉଣ୍ଟରୁ ଏଭଳି ଭାବେ ୧୬ଶହ ଟଙ୍କାର ଠକେଇ ହୋଇଥିବା ଜାଣିବାକୁ ମିଳିଛି। ଅନ୍ୟ କେତେଜଣ ୟୁଜର୍ସ ଟଙ୍କା ହରାଇ ନ ଥିଲେ ମଧ୍ୟ ସେମାନଙ୍କ ପାଖରେ ଏଭଳି ଫେକ୍‌ ଲିଙ୍କ୍‌ ପହଞ୍ଚିଥିବା କହିଛନ୍ତି। ପୁରୀର ସତ୍ୟବ୍ରତ ପରିଡ଼ା କହିଛନ୍ତି, ପ୍ରତି ସପ୍ତାହରେ ଏଭଳି ଫେକ୍‌ ଲିଙ୍କ୍‌ ମୋବାଇଲକୁ ଆସୁଛି। ଭିନ୍ନ ଭିନ୍ନ ନମ୍ବରରେ ଓ ଭିନ୍ନ ଭିନ୍ନ ନାମ ଲେଖାଯାଇ ଲିଙ୍କ୍‌ ପଠାଯାଉଛି। ଗତ ୧୬ ତାରିଖରେ ମୋ’ ପାଖରେ ଏଭଳି ଲିଙ୍କ୍‌ ପହଞ୍ଚିଥିଲା। ତେବେ ପୂର୍ବରୁ ଏ ବିଷୟରେ ଅବଗତ ଥିବାରୁ ମୁଁ ଟ୍ରାପ୍‌ରେ ଫସି ନ ଥିଲି।
କେମିତି ହେଉଛି ଠକେଇ ସାଇବର ଠକମାନେ ଏକ ଅଜଣା ନମ୍ବରରୁ ଆପଣଙ୍କ ପାଖକୁ ମେସେଜ ପଠାଇବେ। ଏହି ମେସେଜ ମାଧ୍ୟମରେ ଟିକା ପଞ୍ଜୀକରଣ ପାଇଁ ଏକ ଆପ୍ଲିକେଶନ୍‌ ଡାଉନଲୋଡ୍‌ କରିବାକୁ କୁହାଯିବ। ତେବେ ଡାଉନଲୋଡ୍‌ କରିବାକୁ ଏକ ଲିଙ୍କ୍‌ ଜଡ଼ିତ ହୋଇଥିବ। ଲିଙ୍କ୍‌ରେ କ୍ଲିକ୍‌ କଲେ ମାଇଁ ଭ୍ୟାକ୍ସିନେଶନ୍‌ ନାମକ ଆପ୍‌ ଦେଖିବାକୁ ମିଳିବ। ଲିଙ୍କ୍‌ ଉପରେ କ୍ଲିକ୍‌ କଲେ, ଭାଇରସ ସ୍ବତଃ ମୋବାଇଲ ଭିତରକୁ ଚାଲିଆସିବ। ଏହାକୁ ଟେକ୍ନିକାଲ ମାଲୱେର ବୋଲି କୁହାଯାଏ। ଏହି ମାଲୱେର ଇନ୍‌ଷ୍ଟଲ ହେବା ପରେ ଆପଣଙ୍କ ଆଣ୍ଡ୍ରଏଡ୍‌ ଏବଂ ସ୍ମାର୍ଟ ଫୋନର କିଛି ସେଟିଂ ପରିବର୍ତ୍ତନ ହେବା ସହ ଆପ୍ଲିକେଶନ୍‌ ପାଇଁ ମୋବାଇଲ ଲୋକେଶନ ଓ ତଥ୍ୟ ପାଇଁ ଆକ୍ସେସ ମିଳିଯାଏ। ଫଳରେ ହ୍ୟାକର ତଥା ସାଇବର ଠକମାନେ ମୋବାଇଲ ଫୋନ୍‌କୁ ପରିଚାଳନା କରିବାରେ ସମର୍ଥ ହୁଅନ୍ତି ଓ ତଥ୍ୟ ଦେଖିପାରନ୍ତି। ଫୋନ୍‌ରୁ ଗୋପନୀୟ ତଥ୍ୟ ହାସଲ କରି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଲୁଟ କରିଥାନ୍ତି ବୋଲି ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି।