ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟ ବାର୍‌ କାଉନ୍‌ସିଲକୁ ଆଇନଜୀବୀଙ୍କ ଯୋଗ୍ୟତାକୁ ସିଦ୍ଧ କରୁଥିବା ଏକ ଫର୍ମ ବିସିଆଇ ପଠାଇଥିଲା। ସବୁଆଡ଼ୁ ତଥ୍ୟ ସଂଗ୍ରହ ପରେ ଜଣାପଡ଼ିଥିଲା ଯେ, ପ୍ରାୟ ୪୦ ପ୍ରତିଶତ ଆଇନଜୀବୀ ସେମାନଙ୍କ ଯାଞ୍ଚ ଫର୍ମ ପୂରଣ କରି ନ ଥିଲେ। ଏଥିସହିତ ଉତ୍ତରପ୍ରଦେଶ ମିରଟ୍‌ର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ୧୩ ଜଣ ନକଲି ଆଇନ ଡିଗ୍ରୀ ନେଇଥିବା ବିଷୟ ପଦାକୁ ଆସିବା ପରେ ବିସିଆଇ ଆକଳନକୁ ଦୃଢ଼ୀଭୂତ କରିଥିଲା। ଦେଶରେ ଥିବା ନକଲି ଆଇନଜୀବୀଙ୍କ ବିଷୟରେ ବିସିଆଇ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବଗତ କରିଥିଲା। ନିକଟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆଇନ କ୍ଷେତ୍ରରେ ନକଲି ଯୁବ ଡିଗ୍ରୀଧାରୀ, ବେକାରିମାନେ ଅସରପା ଭଳି ବ୍ୟବସ୍ଥାକୁ ନଷ୍ଟ କରିଦେଉଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ଅସରପା ବିଷୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ଏପରିକି ଦେଶର ପ୍ରଧାନ ବିଚାରପତିଙ୍କୁ ଅନେକ ଲୋକ ଖୋଲାଖୋଲି ସମାଲୋଚନା ଓ ଥଟ୍ଟା କରିଚାଲିଛନ୍ତି। ଅସରପା ପ୍ରସଙ୍ଗ ପରିପ୍ରେକ୍ଷୀରେ ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି, ଭାରତୀୟ ଅଦାଲତଗୁଡ଼ିକରେ ଆଇନ ବ୍ୟବସାୟ କରୁଥିବା ଓକିଲଙ୍କ ଭିତରୁ ପ୍ରାୟ ୩୦ରୁ ୪୦ ପ୍ରତିଶତଙ୍କର ଶିକ୍ଷାଗତ ଯୋଗ୍ୟତା ନକଲି ଥିବା ଜଣାପଡ଼ିଛି। ଏଠାରେ କୁହାଯାଇପାରେ ଯେ, ଏପରିି ଅଭିଯୋଗ ବାହାରୁ କରାଯାଇ ନାହିଁ, ବରଂ ଆଭ୍ୟନ୍ତରୀଣ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଗଷ୍ଟ ୨୦୨୩ରେ ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଭାରତରେ ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଆଇନଜୀବୀ ଅଛନ୍ତି। ଅବଶ୍ୟ ଏମାନଙ୍କ ମଧ୍ୟରୁ କେତେକ ବୃତ୍ତି ବାହାରେ ଥାଇପାରନ୍ତି। ତେବେ ୨୦ ଲକ୍ଷର ୪୦ ପ୍ରତିଶତ ହିସାବକୁ ନିଆଗଲେ, ପ୍ରାୟ ୮ ଲକ୍ଷ ଓକିଲ ଯଦି ନକଲି ଥିବେ ତାହା ହେଲେ ଅଦାଲତି ବ୍ୟବସ୍ଥା କେଉଁ ସ୍ତରରେ ରହିଛି ସହଜେ ଅନୁମେୟ।
ଆଜିକାଲି ସମୟରେ ନକଲି ଶିକ୍ଷକ, ନକଲି ଡାକ୍ତର, ନକଲି ପୋଲିସ ଅଧିକାରୀ, ନକଲି ଉଡ଼ାଜାହାଜ ପାଇଲଟ ଅନେକ ସମୟରେ ଧରାପଡ଼ୁଥିବା ବିଷୟ ଗଣମାଧ୍ୟମରୁ ଜାଣିବାକୁ ମିଳିଥାଏ। ଏମାନଙ୍କ ଯୋଗ୍ୟତା ବିଷୟ ପଦାରେ ପଡ଼ିବା ପରେ ସେମାନେ ଗିରଫ ହୋଇଥାଆନ୍ତି। ତେବେ ଓକିଲମାନେ ନକଲି ହୋଇଗଲେ କୋର୍ଟ କାର୍ଯ୍ୟ କଳୁଷିତ ହେବା ସ୍ବାଭାବିକ। କାରଣ କେତେକ ଓକିଲ ପରବର୍ତ୍ତୀ ସମୟରେ ବିଚାରପତି ଭାବେ ଅବସ୍ଥାପିତ ହୋଇଥାଆନ୍ତି। ଓଡ଼ିଶାରେ ମଧ୍ୟ କେତେକ ବିଚାରପତି ଏହିଭଳି ଭାବେ ପଦ ହାସଲ କରିଛନ୍ତି। ଏପରି ସ୍ଥଳେ ବିଚାରପତିମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରାଯାଇ ନକଲି ନ୍ୟାୟାଧୀଶଙ୍କୁ ଠାବ କରାଯିବା ଦରକାର। ସାଧାରଣତଃ ଆଇନ ପାଠ କ୍ଳିଷ୍ଟ ଥାଏ। କିନ୍ତୁ ଆମେ ଦେଖିଛେ କିଛିବର୍ଷ ପୂର୍ବେ ଆଇନ ପଢ଼ୁଥିବା କେତେକ ବିଦ୍ୟାର୍ଥୀ ଲ’ର ମାନେ ‘ଲୁକ୍‌ ଆଣ୍ଡ୍‌ ରାଇଟ୍‌’ ଭିତରେ ରଖିଦେଉଥିଲେ। ଅର୍ଥାତ୍‌ କପି କରି ଏହି ପାଠ ନ ପଢ଼ିଲେ ଉତ୍ତୀର୍ଣ୍ଣ ହେବା କଷ୍ଟକର ବୋଲି କୁହାଯାଉଥିଲା। ଓଡ଼ିଶା ସମେତ ଦେଶର ଅନେକ ପ୍ରାନ୍ତରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିଲା। କିନ୍ତୁ ଧୀରେ ଧୀରେ ଏହି ବୃତ୍ତି କେବଳ ଅଦାଲତ ଭିତରେ ସୀମିତ ନ ରହି ଅନେକ ସରକାରୀ ବିଭାଗ ଓ କର୍ପୋରେଟ କ୍ଷେତ୍ରରେ ଚାହିଦା ବଢ଼ିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କ ଲୋଡ଼ା ପଡ଼ିଲା। ଫଳରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଦେଇ ନିଯୁକ୍ତି ଅଭିଳାଷୀମାନେ ଲ’କୁ ଭଲ ଭାବେ ପଢ଼ି ସାର୍ଟିଫିକେଟ ଅର୍ଜନ କରିବାକୁ ଚାହୁଁଥିବା ଦେଖାଯାଉଛି। ତେବେ ବିସିଆଇ ଅଧ୍ୟକ୍ଷଙ୍କ ଅଭିଯୋଗକୁ ଆଲୋଚନା ପରିସରକୁ ଅଣାଯାଇ ତର୍ଜମା କରାଗଲେ ଯଦି ଭାରତୀୟ କୋର୍ଟଗୁଡ଼ିକରେ ୪୦ ପ୍ରତିଶତ ଓକିଲ ନକଲି ଥିବେ, ତାହା ହେଲେ ଅଦାଲତ ଦକ୍ଷତା କମିଯିବା ଥୟ। ଏମିତି ମଧ୍ୟ ହୋଇପାରେ ଯେ, ଯେତେବେଳେ କୋର୍ଟଗୁଡ଼ିକରେ ନକଲିଙ୍କ ସଂଖ୍ୟା ହାଉଯାଉ ହେଉଥିବ ସେମାନେ ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବେ ବୋଲି ଅନୁମାନ କରାଯାଇପାରେ। ଯେତେବେଳେ ବାର୍‌ରେ ଦୁର୍ନୀତି ପଶିଯିବ, ବେଞ୍ଚ୍‌ ବା ଖଣ୍ଡପୀଠ ଉପରେ ସାଧାରଣ ବିଶ୍ୱାସ ରହିବ ନାହିଁ। ଏପରିି ଦେଖିଲେ ଭାରତରେ କେତେକ ବିଚାରପତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଆସିଛି। ଶିଳ୍ପପତି, ରାଜନେତା ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଆଇନର ଦିଗ ବଦଳିଯିବା ସହିତ ରାତିଅଧିଆ ଶୁଣାଣି କରିବା ସେମାନଙ୍କର ଟ୍ରେଡ୍‌ମାର୍କ ଭାବେ ଜଣାଶୁଣା।
ଭାରତରେ ଶିକ୍ଷା ବ୍ୟବସ୍ଥା ବିଶେଷକରି ଉଚ୍ଚଶିକ୍ଷା ସ୍ତରରେ କେଉଁ ପ୍ରକାର କେଳେଙ୍କାରୀ ହେଉଛି ତାହାର ସଦ୍ୟ ନମୁନା ଏନ୍‌ଇଇଟି-ୟୁଜି ପରୀକ୍ଷାରେ ହୋଇଥିବା ଦୁର୍ନୀତିରୁ ଜଣାପଡ଼ୁଛି। ତେଣୁ ଆଇନ ପାଠ୍ୟକ୍ରମ କଥା ଦେଖିଲେ ଅଣ-ସ୍ବୀକୃତିପ୍ରାପ୍ତ ବା ଦୁର୍ବଳ ନିୟନ୍ତ୍ରଣ ମଧ୍ୟରେ ଚାଲୁଥିବା ଆଇନ କଲେଜଗୁଡ଼ିକର ଦ୍ରୁତ ବଢ଼ୁଥିବା ସଂଖ୍ୟା ଦର୍ଶାଉଛି ଯେ, କେତେକ ଶିକ୍ଷାନୁଷ୍ଠାନ ‘ଡିଗ୍ରୀ ଦୋକାନ’ ଭାବେ କାର୍ଯ୍ୟ କରୁଛନ୍ତି। ଏମାନେ ଛାତ୍ରମାନଙ୍କ ଉପସ୍ଥିତି ବିନା ଟଙ୍କା ନେଇ ଜାଲ୍‌ ବା ମିଥ୍ୟା ସାର୍ଟିଫିକେଟ ବାଣ୍ଟିବାରେ ବ୍ୟସ୍ତ। ଦେଶର ଆଇନ ବ୍ୟବସ୍ଥା ସ୍ବଚ୍ଛ ରହିଲେ ଅନ୍ୟାନ୍ୟ ଅଙ୍ଗ ସମାଜ ଆଗରେ ଉତ୍ତରଦାୟୀ ହେବାକୁ ବାଧ୍ୟ ହୁଅନ୍ତେ। ତେଣୁ ବିଶ୍ୱବିଦ୍ୟାଳୟ ଅନୁଦାୟ ଆୟୋଗ (ୟୁଜିସି) ଯଦି ଅଣ-ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଚିହ୍ନଟ କରିପାରନ୍ତା, ତାହା ହେଲେ ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସହ କିମ୍ପା କଳି’ ନ୍ୟାୟରେ ନିକଲି ସଂଖ୍ୟାଧାରୀଙ୍କ ଉପସ୍ଥିତି ରହନ୍ତା ନାହିଁ। ଆଇନର ରକ୍ଷକମାନଙ୍କ ମଧ୍ୟରୁ ପ୍ରାୟ ଅଧା ନିଜେ ଲାଞ୍ଚ ଦେଇ ଆସିଥିବା ଆଇନ ଭଙ୍ଗକାରୀ ହୋଇଯାଇଥିବାରୁ ସମଗ୍ର ସାମ୍ବିଧାନିକ ବ୍ୟବସ୍ଥା ନିଜର ଭ୍ରଷ୍ଟ ସ୍ଥିତି ଯୋଗୁ ଭୁଶୁଡ଼ି ପଡ଼ିସାରିଲାଣି। ତାହା ଆମେ ସମସ୍ତେ ଅପାଠୁଆଙ୍କ ଦ୍ୱାରା ଘେରି ହୋଇ ଅନୁଭବ କରିବା ଆରମ୍ଭ କଲୁଣି।

Dharitri – Odisha’s No.1 Odia Daily