ଫେକ୍‌ ଆଇଏଏସ୍‌ଙ୍କ ଫଟୋ ଭାଇରାଲ

ଦାରିଙ୍ଗବାଡ଼ି,୫।୮ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଜଣେ ଯୁବକ ଆଇଏଏସ୍‌ ପାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ସେତିକି ନୁହେଁ, କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଫେକ୍‌ ଟୁଇଟର୍‌ ଆକାଉଣ୍ଟ ଖୋଲି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିବା ଫଟୋ ମଧ୍ୟ ଭାଇରାଲ୍‌ ହେଉଛି। ଫଟୋରେ ଥିବା ବ୍ୟକ୍ତି ଜଣକ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ରଖିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ସତ୍ୟାସତ୍ୟ ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ କରିବାରେ ସେ ଆଇଏଏସ୍‌ ପାଇ ନ ଥିବା କହିଛନ୍ତି। ତାଙ୍କର ୟୁପିଏସ୍‌ସି ପରୀକ୍ଷା କ୍ଲିିୟର ହୋଇ ନ ଥିବା ଜଣାଇଥିଲେ। ଏ ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିବାରୁ ଫୁଲବାଣୀ ଟାଉନ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି।