ନକଲି ଜାତି ଓ ଜମିପଟ୍ଟା ପ୍ରମାଣପତ୍ର ମାମଲା: ତଦନ୍ତ ଆରମ୍ଭ କଲା ଯୁଗ୍ମ କମିଟି

ମହାକାଳପଡ଼ା,୧୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବୃଦ୍ଧି ପାଉଛି ନକଲି ଜାତି ଓ ଜମି ପଟ୍ଟା ପ୍ରମାଣପତ୍ର। କେତେଜଣ ମଧ୍ୟସ୍ଥ ସରକାରୀ ଅଧିକାରୀଙ୍କୁ ମୋଟାଅଙ୍କର ଅର୍ଥ ଦେଇ ପ୍ରମାଣପତ୍ର ହାସଲ କରୁଛନ୍ତି। ଜମିବାଡ଼ି କିଣାବିକା ସମୟରେ ସାଧାରଣ ବର୍ଗର ଜାତିରୁ ତଫସିଲ ଜାତିକୁ ଉଲ୍ଲେଖ କରି ପରବର୍ତ୍ତୀ ସମୟରେ ଜମିପଟ୍ଟା, ପ୍ରମାଣପତ୍ର ହାସଲ କରିଥିବା ବହୁ ନଜିର ରହିଛି। ନକଲି ଜାତି ପ୍ରମାଣପତ୍ର ବଳରେ କେତେଜଣ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି। ରାମନଗର ଅଞ୍ଚଳର ଏକ ବିତ୍ତଶାଳୀ ପରିବାର ନକଲି ଜାତି ପ୍ରମାଣପତ୍ର ହାସଲକରି ସରକାରୀ ଚାକିରି କରିଥିବା ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋର୍ଟରେ ଜଣେ ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟର ଏକ ଯୁଗ୍ମ କମିଟି ଗଠନ କରିଛନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଗଠିତ କମିଟିରେ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର ଓ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା ମିଳିତଭାବେ ରାମନଗର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସୋମବାର ପହଞ୍ଚି ସମ୍ପୃକ୍ତ ବିତ୍ତଶାଳୀ ପରିବାର ଲୋକଙ୍କ ଜାତି ପ୍ରମାଣପତ୍ରର ରେକର୍ଡ ଯାଞ୍ଚ କରିଥିଲେ। ଏହିପରି ଅନେକ ପରିବାର ନକଲି ଜାତିଗତ ପ୍ରମାଣପତ୍ର ହାସଲ କରିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ତହସିଲଦାର ଆଚାର୍ଯ୍ୟଙ୍କୁ ପଚାରିବାରେ ୮ ଜଣଙ୍କୁ ନୋଟିସ୍‌ ଜାରି ହୋଇଥିଲା। ସେଥିରୁ ଉପସ୍ଥିତ ଥିବା ୩ ଜଣଙ୍କ ରେକର୍ଡ ଯାଞ୍ଚ କରାଯାଇଥିଲା। ଜାତିଗତ ପ୍ରମାଣପତ୍ର ତଦନ୍ତ ପ୍ରଥମ ପର୍ଯ୍ୟାୟରେ ଅଛି। ଆଗାମୀ ଦିନରେ ଦ୍ବିତୀୟ ପର୍ଯ୍ୟାୟ ନୋଟିସ କରାଯାଇ କାଉନ୍‌ସେଲିଂ ଓ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share