ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର କିଛି କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ସରକାରୀ ଅର୍ଥର ଅପବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଗତ ମାସ ୨୧ ତାରିଖରେ ଯନ୍ତ୍ରୀମାନଙ୍କ ପରୋକ୍ଷ ଠିକାଦାରୀ ଓ DMF ଘୋଟାଲାକୁ ନେଇ ପ୍ରଦାନ କରାଯାଇଥିବା ଦାବିପତ୍ର ପରେ ଏବେ ମନରେଗା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ଆତ୍ମସାତର ‘କଚ୍ଛା ଚିଠା’ ପଦାକୁ ଆସିଛି।
ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ଥୁଆମୂଳ ରାମପୁର ସଦର, ତଲଝାପି, ବାଗଡିଆଣି ଏବଂ ପୋଡ଼ାପଦର ଭଳି ବିଭିନ୍ନ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀମାନେ ନିଜ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବା ପରିବର୍ତ୍ତେ କିଛି ମୁଷ୍ଟିମେୟ ଚଞ୍ଚକତା କରୁଥିବା ବ୍ୟକ୍ତିଙ୍କ ସହ ମିଶି ସରକାରୀ ରାଜକୋଷରୁ ପଇସା ହଡ଼ପ କରିବାରେ ମାହିର ସାଜିଛନ୍ତି। କେଉଁଠି ମନରେଗା କାମରେ ଶ୍ରମିକଙ୍କ ବଦଳରେ JCB ମେସିନ୍ ଲଗାଇ ପଇସା ଉଠାଯାଉଛି ତ କେଉଁଠି ବିନା କାମରେ ବା ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର ‘ଫଲ୍ସ ବିଲ୍’ ପ୍ରସ୍ତୁତ କରାଯାଉଛି। ଏହି ଦୁର୍ଗମ ଅଞ୍ଚଳର ନିରୀହ ଲୋକଙ୍କ ବିକାଶ ପାଇଁ ଆସୁଥିବା ଟିକସ ପଇସାକୁ କେତେକ ଅସାଧୁ ଅଧିକାରୀ ଲୁଟି ଖାଉଥିବା ନେଇ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି।ଏହି ମହାଘୋଟାଲାର ପର୍ଦ୍ଦାଫାଶ ପାଇଁ ଏବେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।
ସୂଚନାଯୋଗ୍ୟ, ମନରେଗା ଯୋଜନାରେ ବିନା କାମରେ ଟଙ୍କା ଆତ୍ମସାତ କରାଯାଇଥିବାର ଅନେକ ଦସ୍ତାବେଜ ଓ ପ୍ରମାଣ ସ୍ଥାନୀୟ ପ୍ରତିନିଧିଙ୍କ ହସ୍ତଗତ ହୋଇଛି। ଯଦି ଭିଜିଲାନ୍ସ ବିଭାଗ ସଠିକ୍ ଭାବେ ସ୍ଥଳ ପରିଦର୍ଶନ ଓ ଯାଞ୍ଚ କରେ, ତେବେ କୋଟି କୋଟି ଟଙ୍କାର ଆର୍ଥିକ ହେରଫେର ପଦାକୁ ଆସିବା ସୁନିଶ୍ଚିତ। ଦୁର୍ନୀତିର ଏହି କଳା ଚିଠାକୁ ପ୍ରଶାସନ ସମ୍ମୁଖକୁ ଆଣିବା ପାଇଁ ଅଞ୍ଚଳବାସୀ ସଜବାଜ ହେଉଛନ୍ତି।
ବାରମ୍ବାର ଅଭିଯୋଗ ଏବଂ ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ, MP ଓ CDO-cum-EO ଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ର ସତ୍ତ୍ୱେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଧ୍ରୁବ ଚରଣ ମୁଦୁଲି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବିଡ଼ିଓଙ୍କ ଏଭଳି ନୀରବତା କାହିଁକି ଏବଂ ସରକାରୀ ଅର୍ଥ ଆତ୍ମସାତ କରିଥିବା ଯନ୍ତ୍ରୀମାନଙ୍କୁ କାହିଁକି ତାଗିଦ୍ କରାଯାଉନାହିଁ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ତୁରନ୍ତ ତଦନ୍ତ ନହୁଏ, ତେବେ ଏହି ପାଇସଖିଆ ବାବୁମାନେ ଅନ୍ୟତ୍ର ବଦଳି ହୋଇ ଖସିଯିବାର ଆଶଙ୍କା ରହିଛି। ତେଣୁ ଜିଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।