ବରିଷ୍ଠଙ୍କ ଦାୟିତ୍ୱ ନେବ ‘ବିଶ୍ୱାସ’

ଭୁବନେଶ୍ୱର,୭।୮(ବ୍ୟୁରୋ): ସହରର ବରିଷ୍ଠ ନାଗରିକ ହେଉଛନ୍ତି ଆମର ଗର୍ବ ଓ ଗାଇଡ୍‌। ସେମାନେ ସବୁବେଳେ ମାର୍ଗଦର୍ଶକ ଏବଂ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ବରିଷ୍ଠଙ୍କ ସୁରକ୍ଷା ଓ ନିରାପତ୍ତା ଆମର ପ୍ରମୁଖ ଦାୟିତ୍ୱ। ସେଥିପାଇଁ ‘ବିଶ୍ୱାସ’ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଶନିବାର ସ୍ଥାନୀୟ ପୋଲିସ ଭବନଠାରେ ‘ବିଶ୍ୱାସ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କମିଶନର ପ୍ରିୟଦର୍ଶୀ କହିଲେ, ବରିଷ୍ଠ ନାଗରିକମାନେ ପ୍ରାୟତଃ ନିଜକୁ ଅବହେଳିତ ଅନୁଭବ କରନ୍ତି। ସେମାନେ ବିଶେଷ ଯତ୍ନ ଓ ସାହାଯ୍ୟ ଆବଶ୍ୟକ କରନ୍ତି। ସେମାନଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତାର ଯତ୍ନ ନେବାକୁ କମିଶନରେଟ ପୋଲିସ୍‌ କ୍ରମାଗତ ଭାବରେ ଉଦ୍ୟମ ଜାରି ରଖିଛି। ଆମେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ। ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶ ଲକ୍‌ଡାଉନ୍‌ ଦେଇ ଗତି କରୁଥିଲା ଓ ପ୍ରତିବନ୍ଧକ ରହିଥିଲା, ସେତେବେଳେ ପୋଲିସ ବରିଷ୍ଠ ନାଗରିକମାନଙ୍କୁ ଜରୁରୀ ସେବା ଯୋଗାଇଥିଲା। ଔଷଧ, ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି କୋଡିଡ୍‌ ଚିକିତସା ଓ କୋଭିଡ୍‌ ଟିକାକରଣ ଆଦି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିଲା। ନୋଡାଲ୍‌ ଅଧିକାରୀମାନେ ନିୟମିତ ଭାବରେ ବରିଷ୍ଠ ନାଗରିକଙ୍କ ଘରକୁ ପରିଦର୍ଶନ କରିବା ସହ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ‘ବିଶ୍ୱାସ’ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଉଛି। ଯାଞ୍ଚ ବୃଦ୍ଧି, ସ୍ବାସ୍ଥ୍ୟ ଶିବିର, ଯୋଗ ଅଧିବେଶନ, ଡାଏଟ୍‌ କାଉନ୍‌ସେଲିଂ ଅଧିବେଶନ, ବରିଷ୍ଠ ନାଗରିକଙ୍କ ସହ ଜଡିତ ବିଭିନ୍ନ ବିଷୟ ଉପରେ ସଚେତନତା, ସାଇବର ସଚେତନତା ଏବଂ ବୟସ୍କଙ୍କ ଆବଶ୍ୟକତା ଉପରେ ମନିଟରିଂ ରଖିବା ପାଇଁ ଟେକ୍ନାଲାଜି ଭିତ୍ତିକ ହସ୍ତକ୍ଷେପ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ।