ନେତୃତ୍ୱରେ ଆସ୍ଥା

ପବ୍ଲିକ ଏଣ୍ଟର୍‌ପ୍ରାଇଜେସ ସିଲେକ୍ସନ ବୋର୍ଡ (ପିଇଏସ୍‌ବି) ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡର ଅଧ୍ୟକ୍ଷା ଭାବରେ ମଲ୍ଲିକା ଶ୍ରୀନିବାସନ୍‌ଙ୍କ କାର୍ଯ୍ୟକାଳ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଆଉ ୧ ବର୍ଷ ବୃଦ୍ଧି କରାଯାଇଛି। ଏହା ବ୍ୟତିକ୍ରମ ନୁହେଁ,ବରଂ ପ୍ରମୁଖ ପଦବୀଗୁଡ଼ିକ ପାଇଁ ଏକ ନୂତନ ପରମ୍ପରା ଭଳି ମନେହୁଏ। ଶୀର୍ଷ ସ୍ତରରେ, ବିଶେଷକରି ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିରନ୍ତରତା ବଜାୟ ରଖିବା ପାଇଁ ସରକାର ଚାହଁୁଛନ୍ତି। ଶ୍ରୀନିବାସନ୍‌ଙ୍କ କ୍ଷେତ୍ରରେ ମଧ୍ୟ ଏହା ପରିଲକ୍ଷିତ ହୋଇଛି ଏବଂ ତାଙ୍କ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ନିଯୁକ୍ତି ପାଇଁ ସରକାରଙ୍କ ଚୟନ ସଂସ୍ଥା ପିଇଏସ୍‌ବିର ମୁଖ୍ୟ ହେବାରେ ଶ୍ରୀନିବାସନ ହେଉଛନ୍ତି ପ୍ରଥମ ଘରୋଇ କ୍ଷେତ୍ରର ବିଶେଷଜ୍ଞ। ଏହା ପୂର୍ବରୁ ଏହି ପଦବୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଅମଲାତନ୍ତ୍ରୀଙ୍କୁ ନିଯୁକ୍ତି ଦେବା ପରମ୍ପରା ଥିଲା। ଲଗାତର ଭାବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧିରୁ ସ୍ପଷ୍ଟ ହେଉଛି ଯେ ସରକାର ଏବର ବ୍ୟବସ୍ଥାରେ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ଅନୁଭବ କରୁନାହାନ୍ତି। ସରକାରଙ୍କ ପାଇଁ ପିଇଏସ୍‌ବି ଅଧ୍ୟକ୍ଷ ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଏବଂ ଏଥିରେ ନିରନ୍ତରତା ବଜାୟ ରଖିବା ଆବଶ୍ୟକ ମନେ କରାଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ନେତୃତ୍ୱ ନିଯୁକ୍ତି କ’ଣ ରଣନୀତିକ ଦୃଷ୍ଟିରୁ ଏତେ ସମ୍ବେଦନଶୀଳ ହୋଇପଡ଼ିଛି ଯେ ସରକାର ଚୟନ ବୋର୍ଡରେ ଜଣେ ପରିଚିତ ବ୍ୟକ୍ତିଙ୍କୁ ରଖିବାକୁ ପସନ୍ଦ କରୁଛନ୍ତି? ସରକାରଙ୍କ ଅର୍ଥନୈତିକ ଏଜେଣ୍ଡାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିର ଭୂମିକା ବଢୁଥିବାରୁ ଏହି ପଦବୀର ଗୁରୁତ୍ୱ ବଢ଼ିଯାଇଛି କି? କାରଣ ଯାହା ବି ହେଉ, ଶ୍ରୀନିବାସନ୍‌ଙ୍କୁ ପୁନଃ ଦାୟିତ୍ୱରେ ରଖିବା ତାଙ୍କ ନେତୃତ୍ୱ ଉପରେ ସରକାରଙ୍କ ଆସ୍ଥାକୁ ପ୍ରତିପାଦିତ କରୁଛି।
ସମାନତା ପାଇଁ ଲଢ଼େଇ
ଭାରତୀୟ ସେନା ବ୍ରିଗେଡିୟର ପଦବୀ ଉଚ୍ଛେଦ କରି କର୍ନେଲଙ୍କୁ ସିଧାସଳଖ ମେଜର ଜେନେରାଲ ପଦବୀକୁ ପଦୋନ୍ନତି ଦେବା ପ୍ରସ୍ତାବ ଉପରେ ବିଚାର କରୁଥିବା ଜଣାପଡ଼ିଛି। ଜେନେରାଲ ବିପିନ ରାୱତଙ୍କ କାର୍ଯ୍ୟକାଳରେ ୨୦୧୮ରେ ପ୍ରଥମେ ଏହି ପ୍ରସ୍ତାବ ଉଠିଥିଲା। ଏବେ ଅଷ୍ଟମ ବେତନ ଆୟୋଗ ଏହାକୁ ପୁନର୍ବିଚାର କରିବାର ସୁଯୋଗ ଦେଇଥିବାରୁ ଏହା ଅଧିକ ତ୍ୱରାନ୍ବିତ ହୋଇଛି। ଜଣେ ସେନା ଅଧିକାରୀଙ୍କୁ ମେଜର ଜେନେରାଲ ବେତନ ସ୍ତରରେ ପହଞ୍ଚିବା ପାଇଁ ୩୨-୩୩ ବର୍ଷ ଲାଗିଥାଏ। ଅନ୍ୟପକ୍ଷରେ, ଜଣେ ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀ ୧୬-୧୮ ବର୍ଷ ମଧ୍ୟରେ ସମାନ ବେତନ ସ୍ତରରେ ପହଞ୍ଚିପାରନ୍ତି। ସେନାର କଠୋର ପଦୋନ୍ନତି ବ୍ୟବସ୍ଥା ଯୋଗୁ ଖୁବ୍‌ କମ୍‌ ଅଧିକାରୀ ଶୀର୍ଷ ପଦବୀରେ ପହଞ୍ଚିପାରନ୍ତି। ଅନ୍ୟପକ୍ଷରେ, ସିଭିଲ ସର୍ଭିସରେ ଉଚ୍ଚ ପଦବୀ ଓ ଗ୍ରେଡ୍‌ ପାଇବାରେ ଅଧିକ ଉଦାରତା ଲକ୍ଷ୍ୟ କରାଯାଏ। ବେସାମରିକ ସେବା, ବିଶେଷକରି ଆଇଏଏସ୍‌ ତୁଳନାରେ ସାମରିକ ବାହିନୀର ମର୍ଯ୍ୟାଦା କ୍ରମଶଃ ହ୍ରାସ ପାଉଥିବା ନେଇ ସୈନ୍ୟବାହିନୀ ଦୀର୍ଘଦିନ ଧରି ଅସନ୍ତୋଷ ପ୍ରକାଶ କରିଆସିଛି। ଆର୍ଥିକ ଅଧିକାର ପରି ସମାନତା ଏବେ ଆନୁଷ୍ଠାନିକ ମର୍ଯ୍ୟାଦାର ମଧ୍ୟ ଏକ ପ୍ରଶ୍ନ ହୋଇଯାଇଛି। ତେବେ ବ୍ରିଗେଡିୟରମାନେ ସୈନ୍ୟ ବାହିନୀର ନେତୃତ୍ୱ ନିଅନ୍ତି; ସେମାନଙ୍କ କାନ୍ଧରୁ ତାରକା ହଟିଗଲେ ମଧ୍ୟ ସେହି ଦାୟିତ୍ୱ ଶେଷ ହୋଇଯିବ ନାହିଁ। ସେନାକୁ ନିଜର ପରିଚାଳନାଗତ ଆବଶ୍ୟକତା ଓ ପଦୋନ୍ନତି ସମ୍ପର୍କିତ ଆକାଂକ୍ଷା ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ପଡ଼ିବ। ବିଡ଼ମ୍ବନାର ବିଷୟ, ଅମଲାମାନେ ଦଶନ୍ଧି ଧରି ପଦବୀ, ଉପାଧି ଏବଂ ପଦୋନ୍ନତିର ସୁଯୋଗ ସୃଷ୍ଟି କରିଆସିଛନ୍ତି। ଅନ୍ୟପକ୍ଷରେ, ସେନା ନିଜକୁ ପଛରେ ପଡ଼ିଥିବା ଦେଖି, ସେମାନଙ୍କ ସମକକ୍ଷ ହେବା ପାଇଁ ନିଜର ପଦୋନ୍ନତି ଶିଡ଼ିରୁ ଗୋଟିଏ ପାହାଚ ହଟାଇବାକୁ ପ୍ରସ୍ତାବ ଦେଉଛି।
ଲଜ୍ଜାଜନକ ବିଫଳତା
ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ଶାସ୍ତ୍ରୀ ଭବନ ଓ କୃଷି ଭବନ ଭଙ୍ଗାଯାଇ ସେଠାରେ କର୍ତ୍ତବ୍ୟ ଭବନ-୪ଓ ୫ ନିର୍ମାଣ କରାଯିବା ଯୋଜନା ରହିଛି। ଏକ ଆଧୁନିକ ଓ ସମନ୍ବିତ କାର୍ଯ୍ୟାଳୟ ପରିସର ଗଠନ କରିବା ପ୍ରଶାସନିକ ଦୃଷ୍ଟିକୋଣରୁ ଯଥାର୍ଥ ହୋଇପାରେ, କିନ୍ତୁ ପୁରୁଣା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ତରବରିଆ ଯୋଜନା ଏକ ଲଜ୍ଜାଜନକ ବିଫଳତାକୁ ସାମ୍ନାକୁ ଆଣିଛି। ଏହି ଯୋଜନାରେ ସବୁଠୁ କ୍ଷତିଗ୍ରସ୍ତ ହେବାକୁ ଯାଉଛି ଶାସ୍ତ୍ରୀ ଭବନରେ ଥିବା ୧୩୫ ବର୍ଷ ପୁରୁଣା ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ଲାଇବ୍ରେରି। ଏହି ପାଠାଗାରରେ ଦୁର୍ଲଭ ପ୍ରକାଶନ ଏବଂ ଐତିହାସିକ ସରକାରୀ ଦସ୍ତାବିଜ ସମେତ ୮.୫ ଲକ୍ଷରୁ ଅଧିକ ପୁସ୍ତକ ରହିଛି। ପ୍ରାରମ୍ଭରେ ନୂଆ ସଚିବାଳୟରେ ଏହି ପାଠାଗାର ପାଇଁ ମାତ୍ର ୩୦୦ ବର୍ଗମିଟର ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସଂସ୍କୃତି ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଥିଲା। ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କେନ୍ଦ୍ରୀୟ ସଚିବାଳୟ ପାଠାଗାରର ପୁସ୍ତକଗୁଡ଼ିକର ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ ରଖିବାକୁ କୋର୍ଟ ନଭେମ୍ବର ୧୬ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ମନମୁଖି ତଥା ଅସ୍ଥାୟୀ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ପୁସ୍ତକଗୁଡ଼ିକ ପ୍ରତି ସମ୍ମାନ ଦେଖାଇବାକୁ କୋର୍ଟ କହିଛନ୍ତି।
ତା’ପରେ କେନ୍ଦ୍ର ସରକାର ପାଠାଗାର ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି-ଏତେ ଗୁରୁତ୍ୱପୂର୍ଣ୍ଣ ଏକ ଅନୁଷ୍ଠାନର ସ୍ଥାନାନ୍ତର ପାଇଁ କୌଣସି ବିଶ୍ୱସନୀୟ ଯୋଜନା ନ ଥାଇ ଏଭଳି ଏକ ବିଶାଳ ପ୍ରକଳ୍ପ ଭଙ୍ଗାରୁଜା ପର୍ଯ୍ୟାୟରେ ପହଞ୍ଚିଲା କିପରି? ବୋଧହୁଏ ନିର୍ମାଣ କାର୍ଯ୍ୟର ସମୟସୀମା ପୂରଣ କରିବାର ମୋହ ଆଗରେ ସଂସ୍ଥାଗତ ସମ୍ପତ୍ତିର ସଂରକ୍ଷଣ କାର୍ଯ୍ୟ ଫିକା ପଡ଼ିଯାଇଛି। ଦେଖାଯାଉଛି ବାବୁମାନଙ୍କ କୋଠା ନିର୍ମାଣ ଅପେକ୍ଷା ପୁରୁଣା କୋଠାକୁ ବୁଲ୍‌ଡୋଜରରେ ଭାଙ୍ଗିବା ଲାଗି ଅଧିକ ତତ୍ପରତା ପ୍ରକାଶ ପାଉଛି।
Email: dilipcherian@gmail.com

Dharitri – Odisha’s No.1 Odia Daily