ଫାଲତୁ ପରୀକ୍ଷା

ଦ୍ୱିତୀ ଚନ୍ଦ୍ର ସାହୁ

ପରୀକ୍ଷା ପାଇଁ ଗଳଦ୍‌ଘର୍ମ ଉଦ୍ୟମ। ବିଳମ୍ବିତ ରାତି ଯାଏ ପଢ଼ିବା। ପାହାନ୍ତ ପହରରୁ ଉଠି ପଢ଼ିବା ଲାଗି ପୁଣି ଘରେ ତାଗିଦ୍‌। ଖାଲି ତାଗିଦ୍‌ ନାହିଁ ପିଲାଟି ପଢୁଛି ନା ନାହିଁ ମଝିରେ ମଝିରେ ଉଠି ପରଖୁଥିଲା ମାଆ। ମାତ୍ର ତିନି ଯାଏ ପାଠ ପଢ଼ି ବିଦ୍ୟାଳୟରେ ଡୋରି ବାନ୍ଧିଥିବା ମାଆ କିନ୍ତୁ ଭାରି ସଚେତନ ପିଲାମାନେ କେମିତି ଭଲ ପଢ଼ିବେ। ସେଥିପାଇଁ ସଞ୍ଜରୁ ରୋଷେଇବାସ ସାରି ଲଣ୍ଠନ ପାଖରେ ବସିବ। ଚାରିପଟେ ବସିଥିବା ପିଲାଙ୍କୁ ନିର୍ଦ୍ଦେଶ ଦେବ ପାଟିକରି ପଢ଼ିବେ। ମାନେ ସରବ ପଠନ ଯେମିତି ହେବ। ଲଣ୍ଠନର କାଚ ତମ୍ବା ରଙ୍ଗ ଧାରଣ କରି ଆଲୁଅ ନିଷ୍ପ୍ରଭ ହେଲା ଯାଏ ଚାଲିଥିବ ପଢ଼ା। ବୁଝୁ ନ ବୁଝୁ ପାଟି କରି ପଢ଼ା ହେଉଥିବ। ପାହାନ୍ତା ପହରରେ ବି ସେଇ ଏକା ପଦ୍ଧତି। ଚଦର ଭିତରେ କାଳେ ଢୁଳେଇ ଶୋଇ ପଡ଼ିବେ ସେଥିପାଇଁ କାନରେ ପଢ଼ାର ଶବ୍ଦ ଶୁଭିବା ନେଇ ମାଆ ଭୋର ଚାରିଟାରୁ ଉଠେଇବ ଓ ନିଜ କାମରେ ଲାଗିଯିବ। ପରୀକ୍ଷା ଦିନ ସକାଳୁ ସକାଳୁ ଗାଧୋଇ ଦେବଦେବୀଙ୍କ ମନ୍ଦିରକୁ ଯାଇ ମୁଣ୍ଡିଆ ମାରିବାକୁ ହେବ। ସେଠୁ ଆସିଲା ପରେ ପରୀକ୍ଷା ପାଇଁ ସ୍କୁଲ ଗଲାବେଳକୁ ଦୁଆର ସାମ୍ନାରେ ରଖା ହେବ ହଳଦୀ ପାଣିରେ ଭର୍ତ୍ତି କୁମ୍ଭ। ପୁଣି ତାଗିଦ୍‌ ପଛକୁ ଫେରି ଚାହିଁବନି କେହି। ପରୀକ୍ଷା ହଲରେ ଯାଇ ବସିଲା ବେଳକୁ ପରୀକ୍ଷା ହଲରେ ଥିବା ଶିକ୍ଷକମାନଙ୍କ ବଡ଼ ବଡ଼ ଆଖି। ସାମାନ୍ୟ ହଲଚଲ ହେଲେ ପଛରୁ ଶୁଭିବ ଡାକ। ପରୀକ୍ଷା ଫଳାଫଳ ଦିନ ପୁଣି ମନ୍ଦିର ଯାଇ ପୂଜାପାଠ। ଏତେ ସବୁ କସରତ ପରେ ଧାର୍ଯ୍ୟ ମୋଟ ନମ୍ବରର ସୀମା ନ ଛୁଇଁ କେହି କେହି ଫେଲ୍‌ ହେଉଥିଲେ। ସେହି ଶ୍ରେଣୀରେ ରହୁଥିଲେ। କ୍ରମାଗତ ଏକା ଶ୍ରେଣୀରେ ଦୁଇ ବର୍ଷ ଫେଲ୍‌ ହେଲେ ବିଦ୍ୟାଳୟରୁ ବିଦା। ତେଣିକି ସେ ଅନ୍ୟ ବିଦ୍ୟାଳୟରେ ପଢ଼ିଲେ ଭଲ। ନ ହେଲେ ଅନ୍ୟ କାମ ଧନ୍ଦାରେ ଲାଗିଯିବ ସେ। ପରୀକ୍ଷାକୁ ନେଇ ଅଭିଭାବକ ଓ ପିଲାଙ୍କ ଭିତରେ ଏତେ ଭୟ ଯଦିଓ ଭଲ ନୁହଁ, କିନ୍ତୁ ପରୀକ୍ଷା ପ୍ରତି ଗୋଟେ ସମ୍ବେଦନଶୀଳତା ରହିଥିଲା। ପ୍ରସ୍ତୁତି ଥିଲା।
ଏବେ ପରିସ୍ଥିତି ଅଲଗା। ନିକଟରେ ପୁଅର ବାର୍ଷିକ ଆକଳନ ପରୀକ୍ଷା ହେଲା। ବର୍ଷତମାମ ସ୍କୁଲ ପିଣ୍ଡା ମାଡ଼ି ନ ଥିବା ପିଲା ପରୀକ୍ଷା ଦେବ। ସେଥିନେଇ ବାପା ଭିତରେ ଉଦ୍‌ବେଳନ। କେମିତି ଦେବ ପୁଅ ପରୀକ୍ଷା ! ଅବଶ୍ୟ ଗତ ଏକ ବର୍ଷ ଭିତରେ ଅନ୍‌ଲାଇନ କ୍ଲାସରେ ପାଠ ପଢ଼ି ପଞ୍ଚମ ପଢୁଥିବା ପୁଅ ମୋବାଇଲ ପରିଚାଳନାରେ ଅଭ୍ୟସ୍ତ ହୋଇଗଲାଣି। ତଥାପି ସବୁ ଅଭିଭାବକଙ୍କ ପରି ବାପାଟି ବ୍ୟସ୍ତ ହେବା ସ୍ବାଭାବିକ କଥା। ନିର୍ଦ୍ଧାରିତ ତାରିଖରେ ଆରମ୍ଭ ହେଲା ପରୀକ୍ଷା। ତା’ର ବହୁ ପୂର୍ବରୁ ମୌଖିକ ପରୀକ୍ଷା ଯଥାରୀତିରେ ହୋଇଥିଲା। ପିଲାଙ୍କ ଭିଡିଓ କଲିଂ ଜରିଆରେ ପ୍ରତ୍ୟକ୍ଷ ଭାବେ ପିଲାଏ ଦେଲେ ମୌଖିକ ପରୀକ୍ଷା। ଲିଖିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପରୀକ୍ଷା ଲାଗି ଡେମୋ ବି କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରୀକ୍ଷା ଆରମ୍ଭ ହେଲା। ଘଣ୍ଟାଏ ପରୀକ୍ଷା ଭିତରେ କିଛି ଅତି ସଂକ୍ଷିପ୍ତମୂଳକ ଓ କିଛି ସମ୍ଭ୍ୟାପକ ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରଥମେ ଅତି ସଂକ୍ଷିପ୍ତ ଉତ୍ତରଗୁଡ଼ିକ ଚୟନ କରି ନିମିଷକରେ କରିଦେଲା ପୁଅ। ପରେ ନିଜ ନୋଟ୍‌ ଖାତାରେ ଲେଖିଲା ଉତ୍ତର। ଗୁଗଲ ଫର୍ମ ଜରିଆରେ ପ୍ରଶ୍ନ ମୁତାବକ ଲିଖିତ ଉତ୍ତରର ଫଟୋ କିମ୍ବା ପିଡିଏଫ୍‌ ଫାଇଲକୁ ସେଥିରେ ଅପ୍‌ଲୋଡ କରିବାକୁ ହେବ। ପୁଅ ଲେଖିଲା ଉତ୍ତର। ଦୈବାତ ତାହା ପ୍ରଥମ ପୃଷ୍ଠା ଅତିକ୍ରମ କରି ଦ୍ୱିତୀୟ ପୃଷ୍ଠାକୁ ଆସିଗଲା। ତେଣିକି ଦୁଇଟା ପୃଷ୍ଠାର ଫଟୋ ଉଠାଇ ଅପ୍‌ଲୋଡ କଲାବେଳେ ବାପାର ଅକଲ ଗୁଡୁମ ହୋଇଗଲା। ସେଥିରେ କେବଳ ଗୋଟିଏ ପୃଷ୍ଠା ଅପ୍‌ଲୋଡ ଲାଗି ସୁବିଧା ଥିଲା। ଏତିକିବେଳେ ସମୟ ଅତିକ୍ରାନ୍ତ ହେଉଥିବା କାରଣରୁ ବାପା ଭିତରେ ବିଦ୍ରୋହ ଜାତ ହେଲା। ପୁଅ ଉପରେ ବିରକ୍ତ ହେଲା ବାପା। ପୁଅ ପୁଣି ତୁରନ୍ତ ଖାତାରେ ଲେଖିଥିବା ପ୍ରଥମ ପୃଷ୍ଠାର ବାମ ପାର୍ଶ୍ୱରେ ଥିବା ଆର ଏକ ପୃଷ୍ଠାରେ ଲେଖିଲା ଏବଂ ତମାମ ଦୁଇ ପୃଷ୍ଠାକୁ ନେଇ ଗୋଟିଏ ଫଟୋ ଉଠାଇ ଅପ୍‌ଲୋଡ କଲା ବାପା। ବ୍ୟତିବ୍ୟସ୍ତ ପୁଅ ଓ ବାପା ତେଣିକି ଶାନ୍ତିରେ ନିଃଶ୍ୱାସ ମାରିଲେ। ଇଏ ହେଉଛି ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାର ଏକ ନଗ୍ନ ନମୁନା। ଏବେ ପରୀକ୍ଷା ଦେବାକୁ ହେଲେ ଉଭୟ ପିଲା ଓ ଅଭିଭାବକଙ୍କ ବୈଷୟିକ ଦକ୍ଷତା ଥିବା ଆବଶ୍ୟକ। ପ୍ରତ୍ୟୁପତ୍ନ ବିଚାରବୋଧ ବି ଥିବା ଆବଶ୍ୟକ। ପରୀକ୍ଷା ଦେବା ପାଇଁ ଉଭୟ ମୋବାଇଲ ଓ ଇଣ୍ଟରନେଟ ଠିକ୍‌ ଥିବା ଆବଶ୍ୟକ । ଏସବୁ ସୁବିଧା ଥିବା ସତ୍ତ୍ୱେ ପିଲାଟି ଲେଖି ଠିକ୍‌ ସମୟରେ ଅପ୍‌ଲୋଡ କରିବା ବି ଜରୁରୀ। ନ ହେଲେ ବିଚରା ପିଲାଟି ଲେଖିଥିଲେ ବି ହୁଏତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୟାରେ ମୂଲ୍ୟାୟନ ସମ୍ଭବ ହୋଇପାରିବ।
ଏସବୁ ଭିତରେ ବି ପିଲା ଓ ଅଭିଭାବକ ପାଖରେ ଯଥେଷ୍ଟ ସୁଯୋଗ ରହିଛି ପରୀକ୍ଷାରେ କପି କରିବାକୁ। ଅଭିଭାବକ ବି ପରୀକ୍ଷାର୍ଥୀ ହୋଇଗଲେ ଅସୁବିଧା କିଛି ନାହିଁ। ପରୀକ୍ଷା ଆଉ ପରୀକ୍ଷା ହୋଇ ରହିନାହିଁ। ଘରୋଇ ବିଦ୍ୟାଳୟ କିମ୍ବା ସିବିଏସଇ ଅନୁବନ୍ଧିତ ସରକାରୀ ବିଦ୍ୟାଳୟରେ ହୁଏତ ଏତିକି ବି ହେଉଛି। କିନ୍ତୁ ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରାଥମିକ ଶ୍ରେଣୀର ପିଲାଙ୍କ ପରୀକ୍ଷା ହେବାର ସମ୍ଭାବନା ବି ନାହିଁ। ଗତବର୍ଷ ଭଳି ଚଳିତବର୍ଷ ବି ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ବୋଧେ ଉତ୍ତୀର୍ଣ୍ଣ ହେବେ ପିଲାଏ। କରୋନାଜନିତ କାରଣରୁ ହୁଏତ ଏଭଳି ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟବସ୍ଥା ହୋଇଛି। ତା’ ପୂର୍ବରୁ ବି ପ୍ରଥମରୁ ଅଷ୍ଟମ ଯାଏ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାରେ କୌଣସି ସମସ୍ୟା ନ ଥିଲା। ଫଳରେ ପରୀକ୍ଷାକୁ ନେଇ ପିଲାଙ୍କ ଭିତରେ ପୂର୍ବ ଭଳି ସମ୍ବେଦନା ନାହିଁ। ପୂର୍ବ ପ୍ରସ୍ତୁତି ନେଇ କୌଣସି ଚିନ୍ତା ବି ନାହିଁ। ସ୍ବାଭାବିକ ଭାବରେ ଦିନଚର୍ଯ୍ୟା ଭିତରେ ପରୀକ୍ଷା ଦିଏ ପିଲା। ଭୟମୁକ୍ତ ବାତାବରଣରେ ପିଲାଟି ପଢ଼ିବା ଭଲ। ହେଲେ ଅତ୍ୟଧିକ ସ୍ବାଧୀନତା ଯେମିତି ସ୍ବେଚ୍ଛାଚାରିତା ହୋଇ ନ ଯାଏ ସେଥିପ୍ରତି ବି ଦୃଷ୍ଟି ଦେବା ଆବଶ୍ୟକ। ଏଦିଗରେ ଜାତୀୟ ଶିକ୍ଷା ନୀତି ହୁଏତ ନୂଆ ଆଶାର କିରଣ ବୋଲି ଧରାଯାଇପାରେ। ତଥାପି ୟାରି ଭିତରେ ନଦୀରେ ଅନେକ ପାଣି ବୋହିଯାଇଥିବ। ବହୁତ ପିଲା ଏମିତି ବିନା ବାଧାରେ ପାହାଚ ଚଢ଼ି ଚାଲିଯାଇଥିବେ। ଆଗକୁ ଦେଶ ପାଇଁ ଏଭଳି ବହୁ ପାଠୁଆ ଅଶିକ୍ଷିତ ତିଆରି ହୋଇ ସାରିଥିବେ। ଯେଉଁମାନେ ପାଶ୍‌ ହୋଇଥିବେ ସିନା ସମସ୍ତ ଶୈକ୍ଷିକ ଦକ୍ଷତାକୁ ହାସଲ କରିପାରି ନ ଥିବେ। ପିଲାଙ୍କ ପରୀକ୍ଷା ନେଇ ଏମିତି ଭାବିଲା ବେଳେ ପୁଅ ହଠାତ୍‌ କହିଲା- ‘ସ୍କୁଲରେ ରୁମ୍‌ରେ ବସି ପରୀକ୍ଷା ବହୁତ ଭଲ ଥିଲା। କିଛି ଟେନସନ ନ ଥିଲା। ଯିବ ଆରାମରେ ପରୀକ୍ଷା ଦେବ। ଏବେ ବେଶି ଝମେଲା। ଏଇଟା ଫାଲତୁ ପରୀକ୍ଷା! ଏତିକିବେଳେ ସଚେତନ ହୋଇଥିବା ବାପାଜଣକ ଭାବିଲା ଉଚିତରେ କୁନି ପିଲାଟି ପରୀକ୍ଷାକୁ ନେଇ ବାପା ଭିତରର ମାନସିକତାକୁ ପଢ଼ି ସୁନ୍ଦର ଓ ଉପଯୁକ୍ତ ଶବ୍ଦରେ ସଜେଇ ଦେଲା। ନୁହେଁ କି ?
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri