କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା

ଟାଙ୍ଗୀ(କଟକ) ୨୪।୭(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍‌ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ ଗ୍ରାମବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଏ ନେଇ ଗ୍ରାମର ସାମାଜିକ କର୍ମୀ ମନୋଜ ଖିଲାର ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ଅବଗତ ନିମନ୍ତେ କାରଖାନାର ଅବହେଳାକୁ ଟୁଇଟ୍‌ ମାଧ୍ୟମରେ ଜଣାଇ ଉଚିତ ପଦକ୍ଷେପ ନିମନ୍ତେ ଆଶା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି କାରଖାନାରେ ମୋଟ୍‌ ୮୦୦ ଶ୍ରମିକ କାମ କରନ୍ତି। ଆରମ୍ଭ ଦିନରୁ କାରଖାନା ପକ୍ଷରୁ ଡାକ୍ତରଖାନା ଖୋଲାଯାଇ ନିକଟସ୍ଥ ଗ୍ରାମବାସୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା, ଚକ୍ଷୁ ଚିକିତ୍ସା ସହ ମାଗଣା ଔଷଧ ଯୋଗାଉଥିଲା। ହେଲେ କିଛିବର୍ଷ ହେବ କାରଖାନା କର୍ତ୍ତୃପକ୍ଷ ଡାକ୍ତରଖାନା ଓ ଆମ୍ବୁଲାନ୍ସ ସେବା ବନ୍ଦ କରିଦେଇଛନ୍ତି। ଏବେ ଡାକ୍ତରଖାନା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ମନୋଜ କହିଛନ୍ତି, କାରଖାନା ନିୟମ-୨୦୧୩ ଅନୁସାରେ କାରଖାନା ଲାଭାଂଶର ଶତକଡା ୨ଭାଗ ସାମାଜିକ ଦାୟିତ୍ୱବୋଧତା ଦିଗରେ ଖର୍ଚ୍ଚ କରିବା କଥା। ଖର୍ଚ୍ଚ କିପରି ହେବ ତାହାର ଏକ ନକଲ ଜିଲାପାଳଙ୍କ ନିକଟରେ ଦାଖଲ କରି ଅନୁମୋଦନ କରିବାକୁ ବାଧ୍ୟ। ହେଲେ ଏଠାରେ ଜିଲା ପ୍ରଶାସନ ନିରବ ରହିବା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଖାନା କାଷ୍ଟିଙ୍ଗ ଏଚ୍‌ଆର ବାମଦେବ ମିଶ୍ର ଓ ସିଏସ୍‌ଆର୍‌ କର୍ତ୍ତୃପକ୍ଷ ସଚ୍ଚିକାନ୍ତ ତ୍ରିପାଠୀ କହିଛନ୍ତି, ରୋଗୀଙ୍କ ସଂଖ୍ୟା କମ୍‌ ହେବା ଯୋଗୁ ଡାକ୍ତରଖାନା ବନ୍ଦ କରିଦେଇଥିଲୁ। ଗ୍ରାମରେ ପହଞ୍ଚି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବା ଦିଗରେ ଚେଷ୍ଟା କରିବୁ। ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ। ଯଦି ଗୁରୁତର ଥିବା କାରଖାନାର ଡାକ୍ତର ଉପଲବ୍ଧ କରନ୍ତି, ତା’ହେଲେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ।