ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ ଥାଉ ଚନ୍ଦନ ଅନ୍ୟ ଜଣେ ମହିଳାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ବିବାହିତା ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ରାଜ କିଶୋର ପାତ୍ର ଶନିବାର ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୪୯୯/୨୫) ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ସ୍ତ୍ରୀ ପ୍ରମିଳାଙ୍କ ଅଭିଯୋଗ ମୁତାବକ, ଚନ୍ଦନ ଗତ ୨୦୧୬ରେ ତାଙ୍କୁ ପାଟପୁର ନିକଟ ଶ୍ରୀ ବୁଦ୍ଧେଶ୍ବର ଶୈବପୀଠରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ବାପ ଘର ଲୋକେ ଚନ୍ଦନଙ୍କୁ ୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଦେଇଥିଲେ। ଏଭଳିସ୍ଥିତିରେ ଅଭିଯୁକ୍ତ ଚନ୍ଦନ ବିଭିନ୍ନ ସମୟରେ ସ୍ତ୍ରୀ ପ୍ରମିଳାଙ୍କୁ ଔଷଧ ଦେଇ ୨ ଥର ଗର୍ଭ ନଷ୍ଟ କରିବା ସହ ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ।
ଏପରିକି ପ୍ରମିଳା ଆଣିଥିବା ସୁନା ଅଳଙ୍କାର ଓ ଟଙ୍କା ସମ୍ପୃକ୍ତ ମହିଳାଙ୍କୁ ଦେଇ ଥିଲେ। ସମ୍ପୃକ୍ତ ମହିଳାଙ୍କ ଏକ ଶିଶୁ ସନ୍ତାନ ଜନ୍ମ ହେବା ପରେ ସ୍ବାମୀ ଚନ୍ଦନ ସ୍ତ୍ରୀ ପ୍ରମିଳାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଦାବି କରି ମାର୍ପିଟ କରୁଥିଲେ।
ଗତ ଗୁରୁବାର ବିଳମ୍ବିତ ରାତିରେ ଚନ୍ଦନ ସ୍ତ୍ରୀ ପ୍ରମିଳାଙ୍କୁ ନିସ୍ତୁକ ମାଡ଼ମାରି ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ପ୍ରମିଳା ଥାନାରେ ପହଞ୍ଚି ଏତଲା ଦେଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତ ଚନ୍ଦନ କମ୍ ମୂଲ୍ୟରେ ପ୍ଲଟ ଯୋଗାଇ ଦେବାକୁ କହି ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି।


