ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ହୋଇଛି। କିଛି ଦିନ ହେଲା ବିଭିନ୍ନ ମଣ୍ଡଳୀ ସମେତ ପ୍ରମୁଖ ଚର୍ଚ୍ଚଗୁଡ଼ିକରେ ପ୍ରାକ ଖ୍ରୀଷ୍ଟ ମାସ ପାଳନ ହୋଇଯାଇଛି । ଗାଁଠାରୁ ସହର ସବୁଠି ଚଳଚଞ୍ଚଳ ଲାଗିରହିଛି । ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ ଏହି ବଡ଼ ପର୍ବକୁ ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରାରେ ପାଳନ କରିବା ପାଇଁ ରାଇକିଆ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି ।
ରାଇକିଆ ଥାନା ପରିସରରୁ ଫ୍ଲାଗମାର୍ଚ୍ଚରେ ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଥାନାରୁ ବାହାରି ଦେରେଡାକିଆ ଛକ, ଚୁନପଲୀ ଛକ ଦେଇ ସହର ପରିକ୍ରମା କରିଥିଲେ । ଏହି ସମୟରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡି କରାଯିବା ସହିତ ବିଭିନ୍ନ ଚର୍ଚ୍ଚରେ ସୁରକ୍ଷା କର୍ମୀ ମୁତୟନ ଏବଂ ବିଭିନ୍ନ ଯାନବାହନ ମଧ୍ୟ ଯାଞ୍ଚ କରାଯିବ । ବଡ ଦିନ ଓ ନବ ବର୍ଷକୁ ଦୃଷ୍ଟିରେ ରଖି ପୂର୍ବରୁ ବ୍ଲକ ପରିସରରେ ବିଭିନ୍ନ ସମ୍ପ୍ରଦାୟର ବୁଦ୍ଧିଜୀବିଙ୍କୁ ନେଇ ସମନ୍ନୟ ଓ ଶାନ୍ତି ବୈଠକ ଆୟୋଜନ ହୋଇଥିବାବେଳେ ରାଇକିଆ ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସାଥିରେ ଥିବା ସହ ସମସ୍ତ ପରିସ୍ଥିତି ଉପରେ ନଜର ରଖିଥିବା ନେଇ ଥାନା ଆଇଆଇସି ଆଶୁତୋଷ ପାଇକରାୟ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily


