ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା ଗ୍ରାମ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖଣି ସମ୍ପ୍ରସାରଣ କରାଯାଉ ବୋଲି ଦୀର୍ଘଦିନରୁ ଗ୍ରାମବାସୀ ଦାବି କରିଆସୁଛନ୍ତି। ଏଥିରେ ବିଳମ୍ବ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ସ୍ଥିତିରେ ଗତ ସୋମବାର ଖଣିରେ ବିସ୍ଫୋରଣ ହୋଇଥିଲା। ଏଥିରେ ପଥର ଖଣ୍ଡ ଆସି ଗ୍ରାମର ଆର୍‌ସିପି ପଡାର ଯଦୁ ଗୌଡଙ୍କ ଘର ଉପରେ ପଡିଥିଲା ା ଫଳରେ ଘରର ଆଜବେଷ୍ଟସ୍‌ ଭାଙ୍ଗିଯାଇଥିଲା। ଆଜବେଷ୍ଟସ୍‌ ତଳେ ଭାଡି ଥିବାରୁ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଏ ନେଇ ସେମାନେ ଖଣି କର୍ତ୍ତୃପକ୍ଷ ଓ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ କେବଳ ଷ୍ଟେଶନ ଡାଇରି କରି ଚୁପ ରହିଥିଲା।
ପରେ ଗ୍ରାମର ମହିଳାମାନେ ଖଣିରୁ କୋଇଲା ପରିବହନ ବନ୍ଦ କରିଥିଲେ। ଅସନ୍ତୁଷ୍ଟ ଗ୍ରାମବାସୀ ବ୍ଲାଷ୍ଟିଂ କରୁଥିବା କେତେଜଣ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଗ୍ରାମକୁନେଇ ଅଟକ ରଖିଥିଲେ। ମଙ୍ଗଳବାର ଏସ୍‌ପି ବିକାଶ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି କୋଇଲା ପରିବହନ ଚାଲୁ କରାଇଥିଲେ। ହେଲେ ମଧ୍ୟାହ୍ନରେ ପୁଣି ବିସ୍ଫୋରଣ ହେବା ଫଳରେ ଗ୍ରାମର ଜିତେନ୍ଦ୍ର ପୋଢ ନାମକ ଯୁବକ ଆହତ ହୋଇଥିଲେ। ସେ ବାହାରକୁ ଶୌଚପାଇଁ ଯାଇଥିବାବେଳେ ପଥର ଖଣ୍ଡ ବାଜି ତାଙ୍କ ମୁଣ୍ଡ ଫାଟିଯାଇଥିଲା। ତାଙ୍କୁ ତୁରନ୍ତ ବେଲପାହାଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏମ୍‌ସିଏଲ୍‌ ତରଫରୁ ପର୍ସନାଲ୍‌ ମ୍ୟାନେଜର ଗଙ୍ଗାଧର ପାଲି ଅଭିଯୋଗ କରିବା ପରେ ପୋଲିସ ବେଲପାହାଡ ଥାନା କେସ୍‌ ନଂ୬୬/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏମ୍‌ସିଏଲ୍‌ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଥିବାବେଳେ ଗ୍ରାମବାସୀଙ୍କ ଅଭିଯୋଗରେ କାହିଁକି କେସ୍‌ ନ କରି ଷ୍ଟେଶନ ଡାଇରି କରିିଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏ ନେଇ ଆଇଆଇସି ରଞ୍ଜନ ବିଶ୍ୱାଳ କହିଛନ୍ତି, ବିସ୍ଫୋରଣରେ ଯଦି ଘର ଭାଙ୍ଗିଛି ତା’ହେଲେ କମ୍ପାନୀ ତରଫରୁ କ୍ଷତିପୂରଣ ଦିଆଯିବ, ତାଙ୍କ ନାମରେ କେସ୍‌ ହେବ ନାହିଁ।