ସମ୍ବଲପୁର ଜିଲା ସରକାରୀ ଡାକ୍ତରଖାନାରେ ଦିଆଯାଉଛି ଏକ୍ସପାଏରି ସାଲାଇନ

ସମ୍ବଲପୁର,୧ା୩(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ରୋଗୀସେବାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ନମୁନା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଯିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ।
ସରୋଜ ସାହୁ ନାମକ ରୋଗୀ ଅଭିଯୋଗ କରିଛନ୍ତି ଯେ, ରବିବାର ସନ୍ଧ୍ୟାରେ ତାଙ୍କର ପତଳା ଝାଡ଼ା ହୋଇଥିଲା। ଅସୁସ୍ଥ ଅନୁଭବ କରିବାରୁ ସେ ଡିଏଚ୍‌ଏଚ୍‌କୁ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ସଂକ୍ରମଣ ୱାର୍ଡରେ ଭର୍ତ୍ତିି କରାଯାଇଥିଲା। ତାଙ୍କୁ ସିପ୍ରୋ କମ୍ପାନୀର ସାଲାଇନ ଦିଆଯାଇଥିଲା। ଏହା ନେବା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା। ଛାତିରେ ଯନ୍ତ୍ରଣା ହୋଇଥିଲା। ଗୋଡ଼ ହାତ ବିନ୍ଧିବାକୁ ଲାଗିଥିଲା। ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ୨ଟି ଇଞ୍ଜେକ୍‌ସନ ନେବା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ରାତି ୩ଟାରେ ଆଉଜଣେ ରୋଗୀ ଆସି ନିକଟ ବେଡ୍‌ରେ ରହିଥିଲେ। ତାଙ୍କୁ ମଧ୍ୟ ସମାନ ସାଲାଇନ ଦିଆଯାଇଥିଲା। ରୋଗୀଙ୍କ ସାନଭାଇ ଏକ୍ସପାଏରି ସାଲାଇନ ଦିଆଯାଇଥିବା ଜାଣିବାକୁ ପାଇଥିଲେ। ଉକ୍ତ ସାଲାଇନରେ ୨୦୧୯ ଫେବୃୟାରୀରୁ ୨୦୨୧ ଜାନୁୟାରୀ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ବୋଲି ଲେଖା ରହିଛି। ଏକ୍ସପାଏରି ହେବାର ଏକମାସ ବିିତିଯାଇଥିଲେ ମଧ୍ୟ ଏହା ଷ୍ଟୋର ରୁମ୍‌ରୁ କିଭଳି ୱାର୍ଡକୁ ଗଲା ଓ ଷ୍ଟାଫ୍‌ମାନେ ନ ଦେଖି ରୋଗୀଙ୍କୁ ଦେଲେ ତାହା ସନ୍ଦେହ ସୃଷ୍ଟି କରିଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସରୋଜଙ୍କ ସମେତ ଅନ୍ୟ ରୋଗୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡାକ୍ତର ଅଲେଖ ମହାପାତ୍ର କହିଛନ୍ତି, ସାଲାଇନ କିମ୍ବା କୌଣସି ଔଷଧ ରୋଗୀମାନଙ୍କୁ ଦେବା ପୂର୍ବରୁ ଏକ୍ସପାଏରି ତାରିଖ ଯାଞ୍ଚ କରାଯାଇଥାଏ। ଏଭଳି ହେବା କଥା ନୁହେଁ। ନର୍ସ ଓ ଷ୍ଟୋର କର୍ମଚାରୀଙ୍କୁ ଏ ଦିଗରେ ଗୁରୁତ୍ୱ ଦେବାକୁ କୁହାଯାଇଥାଏ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।